ଜିଲ୍ଲାପାଳଙ୍କ ସହ ମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର : ଲଘୁଚାପଜନିତ ଲଗାଣ ବର୍ଷାରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହାଦ୍ୱାରା ୧୧ ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଥିବାବେଳେ ହଜାରେରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ମୟୂରଭଞ୍ଜ ଓ ବାଲେଶ୍ୱରର ୯ଟି ଆଶ୍ରୟସ୍ଥଳରେ ଅବସ୍ଥାନ କରାଯାଇଛି । ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହଙ୍କ ଉପସ୍ଥିତିରେ ଏହି ୬ଟି ଜିଲ୍ଲାର ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଆଭାସୀ ମାଧ୍ୟମରେ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ଓ ଜନସାଧାରଣଙ୍କୁ ନିରାପଦ ଆଶ୍ରୟସ୍ଥଳୀରେ ଅବସ୍ଥାନ କରାଯିବା ସହ ରିଲିଫ୍ ଯୋଗାଣ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ରାଜୀବ ଭବନଠାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇ ଏସ୍ଆର୍ସି ଶ୍ରୀ ସିଂହ କହିଥିଲେ ଯେ ବାଲେଶ୍ୱର ଜିଲ୍ଲାରେ ୫ଟି ଓଡ୍ରାଫ୍ ଟିମ୍ ସହ ଗୋଟିଏ ଏନ୍ଡିଆର୍ଏଫ୍, ୨୬ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀ ନିୟୋଜିତ ହୋଇଛନ୍ତି । ମୟୂରଭଞ୍ଜରେ ଗୋଟିଏ ଓଡ୍ରାଫ୍, ୨୩ଟି ଅଗ୍ନିଶମ ବାହିନୀ, ଭଦ୍ରକରେ ଗୋଟିଏ ଓଡ୍ରାଫ୍, ଗୋଟିଏ ଏନ୍ଡିଆର୍ଏଫ୍ ଓ ୧୩ଟି ଅଗ୍ନିଶମ ବାହିନୀ, ଯାଜପୁରରେ ଗୋଟିଏ ଓଡ୍ରାଫ୍ ଟିମ୍ ସହ ୧୪ଟି ଅଗ୍ନିଶମ ବାହିନୀ ସମେତ ସମ୍ପୃକ୍ତ ୬ଜିଲ୍ଲାରେ ୧୦୬ ବୋଟ୍ ମଧ୍ୟ ଉଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେହିପରି ସୁବର୍ଣ୍ଣରେଖାକୁ ଛାଡି ଅନ୍ୟ ସମସ୍ତ ନଦୀର ଜଳପତ୍ତନ ହ୍ରାସ ପାଇବାରେ ଲାଗିଛି । ବୈତରଣୀ ଓ ଜଳକାରେ ଜଳପତ୍ତନ କମିବାରେ ଲାଗିଛି । ଜଳବିଶୋଧନ ଓ ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବାର ବ୍ୟବସ୍ଥା କରାଯିବା ସହ ଆବଶ୍ୟକ ପରିମାଣରେ ଆଣ୍ଟିଭେନମ୍ ମହଜୁଦ ରଖାଯାଇଛି ବୋଲି ଏସ୍ଆର୍ସି ସୂଚନା ଦେଇଥିଲେ । ଅତିରିକ୍ତ ରିଲିଫ୍ କମିଶନର ମନୀଷ ଅଗ୍ରୱାଲଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ବନ୍ୟାଞ୍ଚଳରେ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ ଦାୟିତ୍ୱ ଦିଆଯାଇଛି ।