ଜିଲ୍ଲାପାଳଙ୍କ ସିଏଡିଏ କାର୍ଯ୍ୟାବଳୀ ସମୀକ୍ଷା

 ନୂଆପଡା : ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସେଚାଞ୍ଚଳ ଉନ୍ନୟନ ସଂସ୍ଥା (ସିଏଡିଏ)ର କାର୍ଯ୍ୟାବଳୀ ସମୀକ୍ଷା କରିଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ, ସହକାରୀ ଯନ୍ତ୍ରୀ ବିଭୁ ପ୍ରସାଦ ସାମଲ, କନିଷ୍ଠ ଯନ୍ତ୍ରୀ ସୋମରାଜ ପ୍ରଧାନ ଜିଲ୍ଲାପାଳଙ୍କୁ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ଏବଂ ବିଗତ ବର୍ଷର କାମ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପିତ କରିଥିଲେ । ଚଳିତ ବର୍ଷ କାମ ସମ୍ପର୍କରେ ଅବଗତ କରାଇଥିଲେ ଯେ, କୋମନା ବ୍ଲକ୍, ଲଟ୍ କନାପଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲ କାମ ମନରେଗା ଯୋଜନାରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ବ୍ୟୟ ଅଟକଳ ୧୯.୪୪ଲକ୍ଷ ଟଙ୍କା ରହିଛି । ଏଥିରେ ୩୬୦୦ମିଟର କରନାଳି ନିର୍ମିତ ହେବ । ଏହାଦ୍ୱାରା ଲଟ୍ କନାପଡା, ଲିମ୍ଡ଼ିହି ଏବଂ ଦଲ୍ଦଲି ଗାଁର ୧୪୪ ହେକ୍ଟର ଚାଷ ଜମି ଜଳ ସେଚିତ ହୋଇପାରିବ । ଜିଲ୍ଲପାଳ କହିଲେ ଯେ, ଜିଲ୍ଲାର ସମସ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଠିକ୍ ଭାବରେ କାର୍ଯ୍ୟ କରୁ । କେନାଲ ସବୁ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମିତ ହେଉ । ମନରେଗା ଯୋଜନାରେ ଅଧିକ ଅର୍ଥ ବରାଦ କରାଯାଇ ଅଧିକ ଲୋକଙ୍କୁ ଶ୍ରମଭିତ୍ତିକ କାମ ଯୋଗାଇ ଦିଆଯିବ ।