କୋରେଇରେ କଂଗ୍ରେସର ପ୍ରଚାର ଜୋରଦାର ବନ୍ଦିତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ରାମ-ହରି
ଯାଜପୁର: କୋରେଇ ନିର୍ବାଚନମଣ୍ଡଳୀରେ ରାମ ଅର୍ଥାତ ପ୍ରାକ୍ତନ ବିଧାୟକ ରାମଚନ୍ଦ୍ର ଖୁଣ୍ଟିଆଙ୍କ ଯେଭଳି ପ୍ରଭାବ ରହିଛି, ସେହି ପରି ହରି ବା ପ୍ରଚାର କମିଟି ସଦସ୍ୟ ହରେକୃଷ୍ଣ ସାହୁଙ୍କ ମଧ୍ୟ ଦବଦବା ରହିଛି । ଗୋଟିଏ ଦଳର ହୋଇଥିଲେ ହେଁ ଉଭୟଙ୍କ ମଧ୍ୟରେ କିଛି କାରଣକୁ ନେଇ ମତପାର୍ଥକ୍ୟ ରହିଥାଏ । ସେଥିପାଇଁ ରାଜନୈତିକ ମହଲ ରାମ-ହରିଙ୍କୁ ନେଇ ଭିନ୍ନତାରେ ତଉଲିଥାନ୍ତି । ନିର୍ବାଚନ ସମୟରେ ଉଭୟ ରାମ-ହରି କୋରେଇ ବିଧାନସଭା ପ୍ରାର୍ଥିନୀ ବନ୍ଦିତା ପରିଡ଼ାଙ୍କ ପାଇଁ ପ୍ରଚାରକୁ ଓହ୍ଲାଇ ଗୋଟିଏ ମଞ୍ଚରେ ଏକାଠି ହୋଇ ଉଭୟ ବିଧାନସଭା ଏବଂ ଲୋକସଭାରେ ହାତ ଚିହ୍ନକୁ ଭୋଟ ଦେବାକୁ କରିଛନ୍ତି ନିବେଦନ । ଜୁନ ପହିଲାରେ ହେବାକୁ ଥିବା ନିର୍ବାଚନରେ କୋରେଇରେ ହାତକୁ ସଫଳତା ଦେବାକୁ ପ୍ରାର୍ଥିନୀ ବନ୍ଦିତା ପୁରା ଦମରେ ଲାଗିପଡ଼ିଥିବା ବେଳେ କଂଗ୍ରେସ ପ୍ରଚାରକୁ ଯୋରଦାର କରିଛି । ରାମ-ହରି ବନ୍ଦିତା ଓ ଲୋକସଭା ପ୍ରାର୍ଥୀ ଅଞ୍ଚଳ ଦାସଙ୍କ ପାଇଁ କର୍ମୀସମାବେଶ ଏବଂ ସାଂଗଠନିକ ସଭା କରିଛନ୍ତି । ବନ୍ଦିତାଙ୍କୁ ଜିତାପଟ ଦେବା ପାଇଁ ନିର୍ବାଚନମଣ୍ଡଳୀର ତାରାକୋଟ ଠାରେ ପଞ୍ଚାୟତସ୍ତରୀୟ ସାଙ୍ଗଠନିକ ସଭା ଓ କର୍ମୀ ସମାବେଶ ଅବସରରେ ଏକାଠି ହୋଇ ନିର୍ବାଚନୀ ପ୍ରଚାର କରିଛନ୍ତି ରାମ-ହରି । ବ୍ଲକ କଂଗ୍ରେସ କମିଟି ସଭାପତି ଅକ୍ଷୟ କୁମାର ଜେନାଙ୍କ ସଭା ପରିଚାଳନାରେ ଅନୁଷ୍ଠିତ ସମାବେଶରେ ବିଧାୟିକା ପ୍ରାର୍ଥିନୀ ବନ୍ଦିତା ଓ ସାଂସଦ ପ୍ରାର୍ଥୀ ଅଞ୍ଚଳ ଦାସ ଉପସ୍ଥିତ ରହି ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବେ ବନ୍ଦିତା ପରିଡ଼ା ଓ ସାଂସଦ ପ୍ରାର୍ଥୀ ଅଞ୍ଚଳ ଦାସଙ୍କୁ ବିପୁଳ ସଙ୍ଖ୍ୟାରେ ଦଳ ମତ ନିର୍ବିଶେଷରେ ପରିବର୍ତ୍ତନ ପାଇଁ ଭୋଟ ଭିକ୍ଷା କରିବା ସହ କୋରାଇର ସ୍ୱାଭିମାନକୁ ଫେରେଇ ଆଣିବାକୁ ନିବେଦନ କରିଥିଲେ । ସମାବେଶରେ ରାମ ନିର୍ବାଚନୀ ପ୍ରଚାର ଶୈଳୀରେ କହିଥିଲେ କି ବିଜେଡ଼ି ଆଉ ବିଜେପି ଗୋଟିଏ ଦଳ । ଖାଲି ଲୋକଙ୍କୁ ଭୁଆଁ ବୁଲେଇ ଯେମିତି ଦେଶଟାକୁ ଓ ରାଜ୍ୟବାସୀଙ୍କୁ ଭୁଆଁ ବୁଲେଇ ଚାଲିଛନ୍ତି ସେହିଭଳି ଏଥର କୋରେଇରୁ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି । ମାତ୍ର ସେଥିରେ ସେମାନେ ବିଫଳ ହେବେ ଏବଂ ଅପାରଗ ଦୁଇ ଶାସକ ଦଳର ଅଘୋଷିତ ମେଣ୍ଟର ଦୁଇ ପ୍ରାର୍ଥୀଙ୍କ କୋରେଇ ମାଟିରୁ ପରାଜୟ ଜାଣି ସାରିଲା ପରେ କଳା ଟଙ୍କା ଲଗେଇବାରେ ଲାଗିଛନ୍ତି । ପ୍ରତିଦିନ ବଡବଡ ଜାତୀୟସ୍ତରର ନେତା ଆଣି କୋଟି କୋଟି ଲୋକଙ୍କ କର ଖଜଣା ଅର୍ଥକୁ ଅଯଥାରେ ଖର୍ଚ୍ଚ କରାଇ ରାଜକୋଷକୁ ଧୂଳିସାତ କରିବାରେ ଲାଗିଛନ୍ତି । କୋରେଇ ସବୁ ବେଳେ ନେତୃତ୍ୱ ତିଆରି କାରଖାନା ଭାବେ ପୂର୍ବ ନିର୍ବାଚନ ସବୁରୁ କାମ କରିଥିବାର ନଜିର ସାରା ଓଡ଼ିଶା ଦେଖି ଆସିଛି । କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ରାକେଶ କୁମାର ସାହୁ, ପଞ୍ଚାୟତର ସରପଞ୍ଚ କୃଷ୍ଣ ମୋହନ ସାହୁ, ସମିତିସଭ୍ୟା ଫରିଦା ବେଗମ୍, ପଞ୍ଚାୟତ କଂଗ୍ରେସ କମିଟି ସଭାପତି ଇସଲାମ ମହମ୍ମଦ, ନାୟବ ସରପଞ୍ଚ ସମେତ ସମସ୍ତ ୱାର୍ଡ ସଭ୍ୟ ଏବଂ ପୂର୍ବତନ ସରପଞ୍ଚ ପ୍ରମୁଖଙ୍କ ସହ ଉମାକାନ୍ତ ବେହେରା, ଯୁବ ନେତା ୱାସିମ୍ ଆକ୍ରମ, ଯୁବ କଂଗ୍ରେସ ସଭାପତି ରବି ପ୍ରକାଶ ନାୟକ ଯୋଗ ଦେଇଥିଲେ । ବ୍ଲକ କଂଗ୍ରେସ କମିଟି ଉପସଭାପତି ନିରଞ୍ଜନ ନାୟକ ଧନ୍ୟବାଦ ଦେଇଥିଲେ । ସେହିଭଳି ପଥରପଦା ପଞ୍ଚାୟତ କଂଗ୍ରେସ କମିଟି ତରଫରୁ ସଭାପତି ନାରାୟଣ ବେହେରାଙ୍କ ସଭାପତିରେ ବ୍ଲକ କଂଗ୍ରେସ କମିଟିର ପୂର୍ବତନ ସଭାପତି ମଧୁସୂଦନ ସାହୁଙ୍କ ପରିଚାଳନାରେ ବରିଷ୍ଠ କଂଗ୍ରେସ ନେତା ତଥା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଘନଶ୍ୟାମ ପଣ୍ଡା, ମଦନମୋହନ ସାହୁ, ପ୍ରଫୁଲ୍ଲ କୁମାର ପାଢ଼ୀ, ଅରୂପା ନନ୍ଦ ମଲ୍ଲିକ, ନୀଳମଣି ମହାରଣା, ବାଦଲ କୁମାର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ନିର୍ବାଚନୀ ବୈଠକ କରାଯାଇଥିଲା ।