ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପରିଷଦ ଅଯ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗଦେଇ ବାତ୍ୟା ଓ ବର୍ଷାର ପୂର୍ବ ସୂଚନା ପାଇବାପରେ  ଯଥାଶୀଘ୍ର ବନ୍ୟା ଅଶଙ୍କା ଥିବା ତଳିଆ ଅଞ୍ଚଳବାସୀମାନେ ସ୍ୱତଃ ପ୍ରବୃତ ଭାବେ ନିଜ ଧନଜୀବନ ରକ୍ଷା ନିମନ୍ତେ ସ୍ଥାନାନ୍ତରିତ ହେବାକୁ ପରାମର୍ଶ ଦେଇଛନ୍ତି । ବହୁମୂଖୀ ଆଶ୍ରୟ ସ୍ଥଳୀ ଗୁଡିକରେ ଆନୁସଙ୍ଗୀକ ବ୍ୟବସ୍ଥା ସହିତ ଆବଶ୍ୟକ ଖାଦ୍ୟସାମଗ୍ରୀ ମହଜୁଦ , ପାନୀୟ ଜଳ ଯୋଗାଣ, ଏବଂ ବିଦ୍ୟୁତ୍ ସରବରାହକୁ ନିଶ୍ଚିତ କରିବାକୁ ସେ ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲା ଆପାତକାଳୀନ ଅଧୀକାରୀ ସୁଦୀପ୍ତ କୁମାର ସାହୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।  ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ, ଜରୁରୀକାଳୀନ ସୂଚନା ନିମନ୍ତେ ୨୪ ଘଣ୍ଟିଆ କଣ୍ଟୋ୍ରଲ ରୁମ୍ ସ୍ଥାପନ, ସମସ୍ତ ସହରାଞ୍ଚଳରେ ବର୍ଷା ପୂର୍ବରୁ ନାଳନର୍ଦ୍ଦମା ସଫା, ବହୁମୁଖୀ ଆଶ୍ରୟସ୍ଥଳ ଗୁଡିକରେ ଆବଶ୍ୟକ ଖାଦ୍ୟ ସାମଗ୍ରୀ, ପାନୀୟଜଳ ମହଜୁଦ, ଆବଶ୍ୟକ ଜରୁରୀକାଳୀଣ ସମସ୍ତ ଔଷଧ ଏବଂ ସାପ କାମୁଡା ଓ କୁକୁର କାମୁଡ଼ା ଔଷଧ ଯୋଗାଣ, ଅତ୍ୟାବଶ୍ୟକ ସେବା-ସୁବିଧା ପାଇଁ ଜେନେରେଟର ବ୍ୟବସ୍ଥା ସମେତ ଅନ୍ୟାନ୍ୟ ସୁରକ୍ଷା ପରାମର୍ଶ ଦେଇଥିଲେ ।