ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ବାରିପଦା/ସାରସକଣା : ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଭାତ କୁମାର ବେହେରା ଓ ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା ପ୍ରମୁଖ ଯୋଗ ଦେଇଥିଲେ । ଶିବିରରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ବାରିପଦା ଉପଖଣ୍ଡ ଓ ବ୍ଲକସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କାର୍ଯ୍ୟରେ ସହଯୋଗ କରିଥିଲେ । ଆଜିର ଶୁଣାଣିରେ ବାରିପଦା ଉପଖଣ୍ଡର ସର୍ବମୋଟ ୧୬୯ଟି ଅଭିଯୋଗପତ୍ର ଶୁଣାଣି ପାଇଁ ଗ୍ରହଣ ହୋଇଥିଲା । ସେଥିମଧ୍ୟରୁ ୧୫୮ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧିତ ଥିବାବେଳେ ୧୧ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ଏବଂ ୫ଟି ଆପତ୍ତିର ତତ୍କାଳ ସମାଧାନ ହୋଇଥିଲା । ଅଭିଯୋଗର ଗୁରୁତ୍ୱକୁ ବିଚାର କରି ଜିଲ୍ଲାପାଳ ୫ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୫,୦୦୦ଟଙ୍କା ମଂଜୁର କରିଛନ୍ତି । ଆଜିର ଜନ ଅଭିଯୋଗ ଶୁଣାଣିରେ ଗ୍ରହଣ ହୋଇଥିବା ବିଭିନ୍ନ ବିଭାଗ ସମ୍ପର୍କିତ ଅନ୍ୟାନ୍ୟ ଅଭିଯୋଗ ଗୁଡିକ ଉପରେ ଅନୁଧ୍ୟାନ ପୂର୍ବକ ବିଚାର କରି ସେଗୁଡିକର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।