ଜିଲ୍ଲାସ୍ତରୀୟ ବରା ଦିବସ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲରେ ବରା ଦିବସ ପାଳିତ ହେଇଯାଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ବାହାର ଅଞ୍ଚଳର ଲୋକ ତଥା ଜିଲ୍ଲା ବାହାରୁ ଆସୁଥିବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଜିଲ୍ଲାକୁ ଆସିଲେ ଢେଙ୍କାନାଳ ବରା କଥା ପଚାରୁଛନ୍ତି । ଏହି ବରାର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ଏହି ଭଳି ଅନନ୍ୟ ପଦକ୍ଷେପ ନେଇଥିବାରୁ ଏହା ଭବିଷ୍ୟତରେ ଅଧିକ ଆଶା ପ୍ରକଟ କରିବ । ଏହାସହିତ ପ୍ରଶାସନ ସହିତ ଯେଉଁ ବୁଦ୍ଧିଜୀବୀମାନେ ଏହାକୁ ପାଳନ କରୁଛନ୍ତି ସେମାନଙ୍କୁ ମଧ୍ୟ ଜିଲ୍ଲାପାଳ ସାଧୁବାଦ ଜଣାଇଥିଲେ । ଅନ୍ୟ ଏକ ମାଧ୍ୟମରେ ବରାକୁ ନେଇ କବିତା, ଅନୁଭବ ଲେଖା, ଗୀତ ପ୍ରକାଶ ପାଇଲେ ଏହାର ଆଦୃତ୍ତି ବଢାଇବ ବୋଲି ସେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଢେଙ୍କାନାଳ ବରାକୁ ନେଇ "ଇତିହାସ ପୃଷ୍ଠାରେ ଢେଙ୍କାନାଳ ବରା’ ଓ "ମୋ ବରା ମୋ ପରିଚୟ’ ଶୀର୍ଷକ ଦୁଇଟି ପୁସ୍ତକ ପ୍ରକାଶ ପାଇଥିଲା । ଢେଙ୍କାନାଳ ବରାକୁ ନେଇ ଏକ ସଂଗୀତର ଲୋକାର୍ପଣ ମଧ୍ୟ କରାଯାଇଥିଲା । ଏହି ବରାକୁ ଅଧିକ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଢେଙ୍କାନାଳର ସୁନାମଧନ୍ୟ ବରା ବ୍ୟବସାୟୀମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ବରାର ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା । ଏହି ଅବସରରେ ସ୍ୱର୍ଗତ କୁଞ୍ଜ ସାହୁଙ୍କ ପକ୍ଷରୁ ଢେଙ୍କାନାଳ ପ୍ରସିଦ୍ଧ ବରାର ସତ୍ୱାଧିକାରୀ ପ୍ରସନ୍ନ କୁମାର ସାହୁ, ସ୍ୱର୍ଗତ ପାଇଛା ସାହୁଙ୍କ ପକ୍ଷରୁ ଢେଙ୍କାନାଳ ବିଖ୍ୟାତ ବରାର ସତ୍ୱାଧିକାରୀ ଶିବାନନ୍ଦ ସାହୁ, ସ୍ୱର୍ଗତ ଭାଗବତ ସାହୁଙ୍କ ପକ୍ଷରୁ ସର୍ବେଶ୍ୱର ସାହୁ ଓ ସିଧେଶ୍ୱର ସାହୁ ଏବଂ ସ୍ୱର୍ଗତ ଆନନ୍ଦ ସାହୁଙ୍କ ପକ୍ଷରୁ ଶ୍ରୀକାନ୍ତ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ ଶତପଥୀ ଧନ୍ୟବାଦ ଜ୍ଞାପନ କରିଥିଲେ । ସଭାକାର୍ଯ୍ୟ ଅବନୀ ମିଶ୍ର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ପୌରପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ବନ ଖଣ୍ଡ ଅଧିକାରୀ ସୁମିତ କର, କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି, ସହରର ବୁଦ୍ଧିଜୀବୀ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ସାଧାରଣ ଅଧିବାସୀ, ବରା ବ୍ୟବସାୟୀ ଓ ସାମ୍ବାଦିକ ବନ୍ଧୁଗଣ ଯୋଗ ଦେଇଥିଲେ ।