ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ଉଦ୍ୟାପିତ
ବାରଙ୍ଗ: ଗତ ୪ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ଉଦ୍ୟାପିତ ହୋଇଯାଇଛି । ଶୀତୁଆ ରାତିରେ ଶକ୍ତି ମିଶ୍ର ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଆୟୋଜିତ ମେଲୋଡିକୁ ଦର୍ଶକମାନେ ବେଶ୍ ମନଭରି ଉପଭୋଗ କରିଥିଲେ । ଆଧୁନିକ ଓ ସମ୍ବଲପୁରୀ ଗୀତର ତାଳେ ତାଳେ ଦର୍ଶକମାନେ ଝୁମିଥିଲେ । ମହୋତ୍ସବର ଶେଷଦିନ ହୋଇଥିବାରୁ ମେଲୋଡି ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଏହାସହ ଓଡ଼ିଶା କଲ୍ଚର ଆର୍ଟ ଏକାଡେମୀ ଓ ମା’ମଙ୍ଗଳା ପାଇକ ଆଖଡ଼ାର ମହିଳାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ମନଲୋଭା ହୋଇଥିଲା । ମହୋତ୍ସବ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ୟାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ସମବାୟ, ହସ୍ତତନ୍ତ୍ର, ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟବକ୍ତା ଭାବେ ମହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ, ବିଶିଷ୍ଟ ଅତିଥି ଭାବେ ଭାରତ ମସଲାର ପ୍ରତିଷ୍ଠତା ଶୁରେନ୍ଦ୍ରନାଥ ପଣ୍ଡା, ସମ୍ମାନିତ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୁତି ପ୍ରଧାନ, ସମାଜସେବୀ ଅଭୟ ବାରିକ, ତହସିଲଦାର ତୁଷାର ଜ୍ୟୋତି ରଂଜନ, ବିଡିଓ ଧର୍ମରଂଜନ ପଣ୍ଡା, ସାଂସଦ ପ୍ରତିନିଧି ଭୁପତି ଭୁଷଣ ପାଣି, ସରପଞ୍ଚ ମଧୁପୁରୁ ସସ୍ମିତା ଭୋଇ, ସମାଜସେବୀ ଦିପକ ସ୍ୱାଇଁ, ବାବାଜୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ପାଣି, ପ୍ରତାପ ମଣ୍ଡଳ, ଆଦିତ୍ୟପାଳ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।