ଇଚ୍ଛା ଓ ଆବଶ୍ୟକତା
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନର ଇଚ୍ଛା ଓ ଆବଶ୍ୟକତା ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷର ଆବଶ୍ୟକତା ବହୁତ ଅଧିକ ଏବଂ ଜୀବନରେ ଇଚ୍ଛା ମଧ୍ୟ ସବୁଠୁ ଅଧିକ । ଯେହେତୁ ଇଚ୍ଛା ଓ ଆବଶ୍ୟକତା ଅଧିକ, ସେହେତୁ ମଣିଷ ଶାନ୍ତି ଖୋଜିଲେ କୋଉଠୁ ମିଳିବ?
ପ୍ରକୃତରେ ଯେଉଁଟା ତାର ସୁଖର ସମୟ, ସେଇଟାକୁ ସେ ସଙ୍ଘର୍ଷରେ ବିତେଇ ଦିଏ । ଆଉ ଜୀବନର ସଂଘର୍ଷ କେବେ ସରେ ନାହିଁ । ଜୀବନର ସଂଘର୍ଷ ଜନ୍ମରୁ ମୃତୁ୍ୟ ଯାଏ ସାଙ୍ଗରେ ଥାଏ । ଶେଷ ସଂଘର୍ଷ ହେଲା ନିଃଶ୍ୱାସ ନେବାର ସଂଘର୍ଷ । ତେବେ ସୁଖ ଆଉ ଦୁଃଖ ଏକ ଆପେକ୍ଷିକ ଅବସ୍ଥା । ଏଗୁଡିକ ଖୋଜିଲେ ମିଳେ ନାହିଁ । ଯେଉଁଟା ତା' ପାଇଁ ସୁଖ ଯଦି ସେ ଭାବିବ, ସେଇଟା ତାହାର ଦୁଃଖ ତାହା ହେଲେ ସୁଖର କ୍ଷେତ୍ରକୁ ଦୁଃଖ ମାଡି ପଡିବ । ଠିକ୍ ସେମିତି ଯେଉଁଟା ଦୁଃଖ ତାକୁ ଯଦି ସୁଖ ବୋଲି ଭାବି ନେବ, ତାହା ହେଲେ ଆଉ ଦୁଃଖ ବୋଲି କିଛି ରହିବ ନାହିଁ ।
ସୁଖ ଏବଂ ଦୁଃଖ ହେଉଛି ଏକ ଆପେକ୍ଷିକ ଶବ୍ଦ । ଜୀବନଟା ହେଉଛି ସଂଘର୍ଷ, ତେଣୁ ସଂଘର୍ଷର ଯୁଦ୍ଧ ଭୁଇଁରେ ଶାନ୍ତି ଖୋଜିଲେ ମିଳେନାହିଁ । ସଂଘର୍ଷ ଶେଷ ପରେ ହିଁ ଶାନ୍ତି ଆସେ । ଯେଉଁ ମଣିଷ ମୃତୁ୍ୟ ପର୍ଯ୍ୟନ୍ତ ସଙ୍ଘର୍ଷ କରି ଚାଲୁଛି ସେଭଳି ବ୍ୟକ୍ତି ତ ବୀର । କିନ୍ତୁ ଶାନ୍ତିପୂର୍ଣ୍ଣ ଜୀବନ ତା'ପକ୍ଷେ ଅସମ୍ଭବ । ଯୁଦ୍ଧ ଓ ଶାନ୍ତି ଏ ଦୁଇଟି ଏକାଠି କେବେ ମଧ୍ୟ ରହିପାରିବେ ନାହିଁ । ସେମାନେ ଗୋଟାକ ପରେ ଗୋଟେ ଆସିବେ । କେହି କାହାର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ତିଆରି କରିପାରିବେ ନାହିଁ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଭାବେ ଯେ, ତା ଜୀବନରେ ଦୁଃଖର ମାତ୍ରା ଅଧିକ ଏବଂ ସୁଖର ମାତ୍ରା କମ୍ । ହେଲେ ନିଜର ମାନସିକତାକୁ ବଦଳେଇ ଦେଲେ କିମ୍ବା ଚିନ୍ତାଧାରାରେ ପରିବର୍ତ୍ତନ କରିଦେଲେ ପ୍ରତ୍ୟେକ ଦୁଃଖୀ ମଣିଷ ବି ସୁଖୀ ହୋଇପାରିବେ । ହେଲେ ଜୀବନର ଇଚ୍ଛା ଓ ଆବଶ୍ୟକତାକୁ ପ୍ରଥମେ ସୀମିତ କରିବାକୁ ପଡିବ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।