ଆବାସ ଯୋଜନାରେ ବ୍ୟାପକ କେଳେଙ୍କାରି ସ୍ୱାମୀ ସ୍ତ୍ରୀଙ୍କୁ ମିଳୁଛି ଘର, ଗରିବ ହତାଶ

ଆବାସ ଯୋଜନାରେ ବ୍ୟାପକ କେଳେଙ୍କାରି ସ୍ୱାମୀ ସ୍ତ୍ରୀଙ୍କୁ ମିଳୁଛି ଘର, ଗରିବ ହତାଶ

ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଦୁର୍ନୀତିର ଗନ୍ତାଘର ପାଲଟିଛି । ଏହି ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପରେ ଜାଲ୍ ବିଲ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ ପଦାକୁ ଆସିଛି । ଭାତହାଣ୍ଡିରୁ  ଗୋଟିଏ ଚିପିଲା ଭଳି ଏହି ପଞ୍ଚାୟତ ଭାଟପଡା ଗ୍ରାମକୁ ଉଦାହରଣ ରୂପେ  ନିଆଯାଇପାରେ । ଏହି ଗ୍ରାମର ଜୟନ୍ତ ସେଠୀ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ହାତେଇଥିବା ବେଳେ ତାଙ୍କ ସ୍ତ୍ରୀ ଦୈ÷ାପଦୀ ସେଠୀଙ୍କୁ ସେହି ଆର୍ଥିକ ବର୍ଷରେ ପୁନର୍ବାର ଘର ପ୍ରଦାନ କରାଯାଇଛି । ସେହିପରି କାଶୀନାଥ ସେଠୀ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିବା ବେଳେ ତାଙ୍କ ସ୍ତ୍ରୀ ମଲ୍ଲୀ ସେଠୀଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ଆବାସ ଯୋଜନାରେ ପୁନର୍ବାର ଘର ପ୍ରଦାନ କରାଯାଇଛି । ଆହୁରି ମଧ୍ୟ ସେହି ଗ୍ରାମର ସୁଷମା ସେଠୀ ଓ ତାଙ୍କ ସ୍ୱାମୀ ସୁଶାନ୍ତ ମଳିକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇଟି ଘର ମିଳିଥିବା ଅଭିଯୋଗ ହେଉଛି । ଏହି ସ୍ୱାମୀ ସ୍ତ୍ରୀଙ୍କୁ ଦୁଇଟି ଲେଖାଏଁ ଘର ଚଂଚକତା କରି ପ୍ରଦାନ କରାଯାଇଥିବା ନେଇ ସୂଚନା ଅଧିକାର ଆଇନରୁ ଜଣାପଡିଛି । ସବୁଠାରୁ ବଡକଥା ହେଲା, ସ୍ୱାମୀ ସ୍ତ୍ରୀଙ୍କୁ ଦୁଇଟି ଲେଖାଏଁ ଘର ଦେବା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାମୀଙ୍କ ପିତା ନାମ ଉଲ୍ଲେଖ କରିଥିବା ବେଳେ ସ୍ତ୍ରୀଙ୍କ ସ୍ୱାମୀ ନାମ ଉଲ୍ଲେଖ ନ କରି ପିତା ନାମ ଉଲ୍ଲେଖ କରି ଜାଲିଆତି କରିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କ ଭୋଟର ତାଲିକା ଅନୁଯାୟୀ, ଭାଗ ନଂ-୧୨୧, କ୍ରମିକ ନଂ- ୪୩୯ରେ ଜୟନ୍ତ ସେଠୀଙ୍କ ପିତାଙ୍କ ନାମ ହରେକୃଷ୍ଣ ସେଠୀ ଓ କ୍ରମିକ ନଂ- ୪୪୧ରେ ଦୌପଦୀ ସେଠୀଙ୍କ ସ୍ୱାମୀଙ୍କ ନାମ ଜୟନ୍ତ କୁମାର ସେଠୀ ରହିଛି । ମାତ୍ର ଜାଲିଆତି ପାଇଁ ଦୌପଦୀ ସେଠୀଙ୍କ ସ୍ୱାମୀ ନାମ ବଦଳରେ ପିତା ଗିରଧାରୀ ମଳିକଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ରହିଛି । ସେହିପରି କାଶୀନାଥ ସେଠୀ, ପିତା- ଝଜିନ୍ଦ୍ର ସେଠୀଙ୍କ ନାମ ଭୋଟର ତାଲିକାର କ୍ରମିକ ନଂ- ୪୬୫ରେ ଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନାମ ଅନୁଭାଗ-୨ କୁଶାଇଲୋରେ ୯୧୪ କ୍ରମିକ ନଂରେ ମଲ୍ଲୀ ସେଠୀ, ସ୍ୱାମୀ- କାଶୀନାଥ ସେଠୀଙ୍କ ନାମ ରହିଛି । ମାତ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଲ୍ଲୀଙ୍କ ପିତା ନାମ ମୁରଲୀ ସେଠୀ ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମାନଦଣ୍ଡକୁ ସଂପୂର୍ଣ୍ଣ ପୂରଣ କରୁଥିବା ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଘର ପାଉନଥିବା ବେଳେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଦୁଇଟି ଲେଖାଏଁ ଘର ମିଳିବା ଘଟଣା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ବ୍ଲକରେ ଶତାଧିକ ପରିବାରର ସ୍ୱାମୀ ସ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଲକ୍ଷଲକ୍ଷ ଟଙ୍କା ଆଦାୟ କରିଥିବା ଆଲୋଚନା ହେଉଛି । ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏ ସଂପର୍କରେ ବିଡିଓ ଅଜିତନାରାୟଣ ପ୍ରସାଦ ଗିରିଙ୍କ ପ୍ରତିକ୍ରିୟା ଜାଣିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ ।