ଜେଲ ଭିତରେ ଛୁରି ଧରି ରିଲସ ଘଟଣା


  • ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ; ଛୁରି ଓ ମୋବାଇଲ ଜବତ
    ଭୁବନେଶ୍ୱର, ୨୩ା୧୦ : ପୁଣି ବିବାଦର କାଠଗଡାରେ ଠିଆ ହୋଇଛି ଝାରପଡା ଜେଲ । ନିକଟରେ ଘଟିଥିବା ଗ୍ୟାଙ୍ଗ୍ୱାର ଓ କଏଦୀ ମୃତୁ୍ୟ ପରେ ପରେ ଆଜି ପଦାକୁ ଆସିଛି କଏଦୀଙ୍କ ରିଲସ ଭିଡିଓ । ବ୍ରାଉନ୍ସୁଗାର ମାଫିଆ ନନ୍ଦୁ ରହୁଥିବା ସେଲ୍ ଭିତରୁ ଭାଇରାଲ୍ ହୋଇଥିବା ଭିଡିଓକୁ ନେଇ ଅକଳରେ ପଡିଛନ୍ତି ଜେଲ କର୍ତ୍ତୃପକ୍ଷ । ନନ୍ଦୁ ହାତରେ ଛୁରି ଧରି ମସ୍ତି କରୁଥିବା ବେଳେ ଅନ୍ୟ କଏଦୀମାନେ ଗଞ୍ଜେଇ ଦଳୁଥିବାର ଦୃଶ୍ୟ ଜେଲ ସୁରକ୍ଷାର ବିକଳ ଚିତ୍ରକୁ ପଦାକୁ ଆଣିଛି । ଜେଲ ଡିଜିଙ୍କ ନିଦେ୍ର୍ଦଶକ୍ରମେ ଚଢ଼ଉ କରାଯାଇ ସେଲର ପାଇଖାନା କାନ୍ଥରୁ ଏକ ସ୍ମାର୍ଟଫୋନ୍ ଓ ଏକ୍ଜଷ୍ଟେଡ୍ ଫ୍ୟାନ ପଙ୍ଖା ପାଖରୁ ଛୁରି ଜବତ କରାଯାଇଛି । ହେଲେ ଝାରପଡ଼ା ଜେଲରେ ସବୁ ପ୍ରକାର କଡ଼ାକଡ଼ି ସତ୍ୱେ ଜେଲ ଭିତରକୁ ସ୍ମାର୍ଟଫୋନ୍ ଓ ମାରଣାସ୍ତ୍ର ମଧ୍ୟ ଯାଇପାରୁଛି ବୋଲି ସ୍ପଷ୍ଟ ହୋଇଛି । ଜେଲର ଏହି ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ପାଇଁ କିଏ ଦାୟୀ, ସେନେଇ ତନାଘନା ଆରମ୍ଭ ହୋଇଛି । କିଛି ୱାର୍ଡରଙ୍କ ସମ୍ପୃକ୍ତି ଥିବା ସନେ୍ଦହ କରାଯାଉଛି ଏବଂ ସେହି ଦିଗରେ ତଦନ୍ତ ଚାଲିଛି । ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଖୋଳତାଡ ଚଳାଇଛି ।  
     ଗୋଟିଏ ଭିଡିଓରେ ବିଚାରାଧୀନ କଏଦୀ ତଥା ବ୍ରାଉନ୍ସୁଗାର ମାଫିଆ ନନ୍ଦୁ ହାତରେ ଏକ ବଡ ଛୁରି ଧରି ବସିଥିବା ବେଳେ, ତାକୁ ଘେରି ରହିଥିବା ଅନ୍ୟ କିଛି କଏଦୀ ଗଞ୍ଜେଇ ଦଳୁଥିବାର ଦୃଶ୍ୟ ରହିଛି । ବେଶ୍ ରାଜକୀୟ ଢଙ୍ଗରେ ନନ୍ଦୁ ବସିଥିଲା । ଅନ୍ୟ କଏଦୀମାନେ ବି ମଜା କରୁଥିବା ଦେଖିବାକୁ ମିଳିଛି । ଭିଡିଓଟି ସେଲ ଭିତରେ କୌଣସି ସ୍ମାର୍ଟଫୋନ୍ରେ ସୁଟ୍ କରାଯିବା ପରେ ଭିଡ଼ିଓଟି ଭାଇରାଲ ହୋଇଥିଲା । ଏହା ଜେଲର ସୁରକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଳି ଉଠାଇଛି ସିନା କିନ୍ତୁ ମାଫିଆ ନନ୍ଦୁର ଉଦେ୍ଦଶ୍ୟ ଭିନ୍ନ ବୋଲି ଚର୍ଚ୍ଚା ହେଉଛି । ଜେଲରେ ଥାଇ ବି ତା’ର ଦବ୍ଦବା କମିନାହିଁ ବୋଲି ଜଣାଇବା ଉଦେ୍ଦଶ୍ୟରେ ସେ ଏଭଳି କରିଥିବା ସନେ୍ଦହ କରାଯାଉଛି । ସେହିଭଳି ଜେଲରେ ଥାଇ ମଧ୍ୟ ବଟି ଆଦାୟ କରିବାକୁ ଏହା ଏକ ଉତ୍ତମ ମାଧ୍ୟମ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଏବେ ଜେଲ କର୍ତ୍ତୃପକ୍ଷଙ୍କ ନିଘା ସେଠି ନାହିଁ । ଜେଲର ସୁରକ୍ଷା ବଳୟ ଭେଦ କରି ଭିତରକୁ ସ୍ମାର୍ଟଫୋନ ଓ ଛୁରି କିଭଳି ଗଲା, ସେହି ଚିନ୍ତାରେ କର୍ତ୍ତୃପକ୍ଷ । ଛୁରିକୁ କେହି ସହଯୋଗୀ ପାଚେରି ଉପର ଦେଇ ଭିତରକୁ ଫୋପାଡିବା ଅନୁମାନ କରାଯାଇପାରେ । ଅନ୍ୟପଟେ, ଚେତିନାହାନ୍ତି ଜେଲ୍ କର୍ତ୍ତୃପକ୍ଷ, ନନ୍ଦୁ ହାତକୁ ସ୍ମାର୍ଟଫୋନ୍ କୌଣସି କର୍ମଚାରୀଙ୍କ ହାତରେ ହିଁ ଯାଇଛି, ଏହା ନିଶ୍ଚିତ । ତେଣୁ କିଛି ୱାର୍ଡରଙ୍କ ସମ୍ପୃକ୍ତି ଥିବା ସନେ୍ଦହ କରାଯାଉଛି । ତଦନ୍ତରୁ ପ୍ରମାଣ ମିଳିବା ପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜେଲ ଡିଜି କହିଛନ୍ତି । ଜବତ ମୋବାଇଲରୁ କଲ ଡିଟେଲସ ବାହାର କରାଯିବ ଏବଂ ସେଥିରୁ ଅନେକ କିଛି ସଂଗିନ୍ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । ଏମିତିକି ମାଫିଆ ନନ୍ଦୁ କାହା କାହା ସହ ଅନ୍ଲାଇନ୍ରେ ଅର୍ଥ ଦେଣନେଣ କରିଛି, ସେ ତଥ୍ୟ ମଧ୍ୟ ଜଣାପଡିବ । ତେଣୁ ଜବତ ସ୍ମାର୍ଟଫୋନ୍ରୁ ନନ୍ଦୁର ଗୁମର ଖୋଲିବା ପରେ ତା’ର କଳା ସାମ୍ରାଜ୍ୟର ବିସ୍ତୃତି ସ୍ପଷ୍ଟ ହୋଇଯିବ ।   
     ସୂଚନାଯୋଗ୍ୟ ଯେ ନିକଟରେ ଜେଲ୍ ଭିତରେ ଘଟିଥିଲା ଗ୍ୟାଙ୍ଗ୍ୱାର । ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ଗଣ୍ଡଗୋଳରେ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗ୍ୟାଙ୍ଗ୍ଷ୍ଟର ହାଇଦର ପୁଅ ମୁନା ଇଙ୍ଗିତରେ ଏହି ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଜେଲ୍ ଡିଆଇଜି ତଦନ୍ତ କରିଥିଲେ । ଏବେ ବ୍ରାଉନ୍ସୁଗାର ମାଫିଆ ନନ୍ଦୁ ଚର୍ଚ୍ଚାରେ । ତେଣୁ ଜେଲ ଭିତରେ ମାଫିଆମାନେ ରାଜ୍ କରୁଥିବା ସ୍ପଷ୍ଟ ହୋଇଛି । ଗତ ସପ୍ତାହରେ ଜଣେ ବିଚାରାଧୀନ କଏଦୀଙ୍କ ମୃତୁ୍ୟ ହୋଇଛି । ସେ ମଧ୍ୟ ନିଶା କାରବାର ମାମଲାରେ ଜେଲରେ ଥିଲେ । ତାଙ୍କ ମୃତୁ୍ୟକୁ ନେଇ ପରିବାର ଲୋକେ ସନେ୍ଦହ କରି ହତ୍ୟା ଅଭିଯୋଗ କରିଛନ୍ତି ଏବଂ ଲକ୍ଷ୍ମୀସାଗର ଥାନା ପୁଲିସ ତଦନ୍ତ ଜାରି ରଖିଛି ।