ଜେଲ୍ ଗଲେ ଆଇଏଏସ ଧିମାନ୍

ଭବାନୀପାଟଣା/କଟକ: ଗିରଫ ହେଲେ ଲାଞ୍ଚୁଆ ଆଇଏଏସ ଅଫିସର ବାବୁ । କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ନେଇ ଏବେ ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ କରିତ୍ କର୍ମା ଧର୍ମଗଡ଼ ଉପ ଜିଲ୍ଲାପାଳ ଧିମାନ୍ ଚକମା ।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଉପ ଜିଲ୍ଲାପାଳ ଧୀମାନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ୨୦୨୧ ବ୍ୟାଚ ଆଇଏଏସ ଅଫିସର ଧୀମାନ ଚକମା ୨୦୨୪ ଜାନୁଆରୀ ମାସରେ ଧର୍ମଗଡ ଉପ ଜିଲ୍ଲାପାଳ ଭାବେ ଯୋଗଦାନ କରିଥିଲେ । ଯୋଗଦେବା ଦିନ ଠାରୁ ଅନେକ ଦୁର୍ନୀତିରେ ଲିପ୍ତ ରହିଥିବା ବେଳେ କ୍ରସର୍ ମାଲିକଙ୍କୁ ଧମକ ଦେଇ ଟଙ୍କା ମାଗିଥିଲେ । ବାରମ୍ବାର ଟଙ୍କା ମାଗିବା ପରେ କ୍ରସର ମାଲିକ ଜଣକ ଭିଜିଲାନର ଦ୍ୱାରସ୍ଥ ହୋଇଥିଲେ । ଗତକାଲି ରାତିରେ ଉପ ଜିଲ୍ଲାପାଳଙ୍କ ନିଜ ସରକାରୀ ବାସଭବନରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ବିଭାଗ ।
ଲାଞ୍ଚୁଆ ଆଇଏଏସ ବାବୁ ନିଜ ସରକାରୀ ବାସଭବନ କାର୍ଯ୍ୟାଳୟ ଟେବୁଲ୍ ଡ୍ରରେ ରଖିଥିବା ୧୦ ଲକ୍ଷ ଟଙ୍କାକୁ ଭିଜିଲାନ୍ସ ବିଭାଗ ଜବତ କରିଥିବା ବେଳେ ଘରୁ ଆହୁରି ୪୭ ଲକ୍ଷ ୪୭ ହଜାର ୬ ଶହ ଟଙ୍କାକୁ ମଧ୍ୟ ଜବତ କରିଛି । ଏପରିକି ସମୁଦାୟ ୫୭ ଲକ୍ଷ ୪୭ହଜାର ୬ ଶହ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ଲାଞ୍ଚ ନେଇ ଗିରଫ ପରେ ତାଙ୍କୁ ବିଭିନ୍ନ ଦିଗକୁ ନେଇ ଜେରା କରାଯାଇଛି ।
କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ଉପଜିଲ୍ଲାପାଳ ଟଙ୍କା ଆଦାୟ କରୁଥିଲେ । ଭିଜିଲାନ୍ସ ବିଭାଗର କହିବା ଅନୁଯାୟୀ ଜଣେ କ୍ରାସର୍ ମାଲିକଙ୍କ ଠାରୁ ୨୦ ଲକ୍ଷ୍ ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନଦେଲେ କ୍ରସର ଚଳାଇ ଦେବେ ନାହିଁ ବୋଲି ମଧ୍ୟ ଧମକ ଦେଉଥିବା ନେଇ ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ସେପଟେ ଉପ ଜିଲ୍ଲାପାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ବିଭାଗ । ଏହି ଚଢାଉରେ ୨ଜଣ ସେଲ୍ ଏସପି ଓ ୪ ଜଣ ଡିଏସପି ସାମିଲ ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ଏ ନେଇ ଭିଜିଲାନ୍ସ ସେଲ୍ ପିଏସ୍ କେସ୍ ନମ୍ବର ୬/୨୦୨୫ରେ ୭ ପି.ସି. ଆଇନ, ୧୯୮୮ ଅନୁଯାୟୀ ପି.ସି. (ସଂଶୋଧନ) ଆଇନ, ୨୦୧୮ ଦ୍ୱାରା ସଂଶୋଧିତ ପଞ୍ଜିକୃତ କରାଯାଇଛି । ଏନେଇ ତଦନ୍ତ ଜାରି ରହିଥିବାବେଳେ ପରବର୍ତ୍ତୀ ରିପୋର୍ଟ ପରେ ଆସିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।