ଝିପିଝିପି ବର୍ଷାରେ କଟା ଧାନ ଓଦା
ବୁଗୁଡ଼ା: ପୂର୍ବରୁ ପ୍ରକାଶିତ ପାଣିପାଗ ବିଭାଗର ସୂଚନା ମୁତାବକ ବୁଗୁଡ଼ା ଅଞ୍ଚଳରେ ଶୁକ୍ରବାର ସକାଳୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି । ପାଗ ମେଘୁଆ ରହିଥିବା ବେଳେ ଆଜିର ଲଗାଣ ବର୍ଷାରେ ଧାନ ଓ ପରିବା ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଦିନ ସାରା ଲଗାଣ ଝିପିଝିପି ବର୍ଷା ଫଳରେ ଅନେକ ଚାଷ ଜମିରେ କଟା ଧାନ ସବୁ ଓଦା ହୋଇଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଚଳିତ ବର୍ଷ ବର୍ଷାର ଅଭାବରୁ ଚାଷ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା । ତଥାପି ବାଘୁଆ ଜଳଭଣ୍ଡାରରୁ ଜଳ ଯୋଗାଣ ସାଙ୍ଗକୁ ଆବଶ୍ୟକ ବେଳେ ବର୍ଷା ହୋଇଥିବାରୁ ଚଳିତ ବର୍ଷ ଭଲ ଫସଲ ହୋଇଥିଲା । ଏବେ କେତେକ ଚାଷୀ ଧାନ ଫସଲ କାଟି ଖଳାରେ ଜମାକରି ରଖିଛନ୍ତି ଏବଂ ଅନେକ ଚାଷୀ ଧାନକୁ କାଟି ଜମିରେ ରଖିଥିବା ବେଳେ ଏଇ ଲଗାଣ ଝିପିଝିପି ବର୍ଷା ଯୋଗୁଁ ତାହା ଓଦା ହୋଇଯାଇଛି । ଏହି ବର୍ଷାର ପ୍ରଭାବରେ ଚଳିତ ବର୍ଷ ବୁଗୁଡ଼ା ଅଞ୍ଚଳରେ ହଜାର ହଜାର ହେକ୍ଟର ଜମିରେ ହୋଇଥିବା ଧାନ ଓ ପରିବା ଫସଲ ନଷ୍ଟ ହେବାର ଆଶଙ୍କା ଯୋଗୁଁ ଚାଷୀ ଚିନ୍ତାରେ ପଡିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଦିନସାରା କୋହଲା ପାଗ ସହ ଝିପିଝିପି ବର୍ଷା ହେତୁ ସାଧାରଣ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।