ଜିଏମୟୁରେ ଗଙ୍ଗାଧର ସାହିତ୍ୟ ସମାରୋହ
ସମ୍ବଲପୁର: ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ଅବସରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ସୂର ମନ୍ଦିର ର ମିଳିତ ଆନୁକୁଲ୍ୟରେ "ଗଙ୍ଗାଧର ସାହିତ୍ୟର ସାଙ୍ଗିତିକତା" କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରଫୁଲ୍ଲ ମିତ୍ରଙ୍କ ପରିଚାଳନାରେ ସମ୍ବଲପୁରର ପ୍ରତିଷ୍ଠିତ ଆକାଶବାଣୀ ଓ ଦୂରଦର୍ଶନ କଳାକାର ଗଣ ଗଙ୍ଗାଧର ମେହେରଙ୍କ ରଚିତ କବିତା ଉପରେ ଆଧାରିତ ସଙ୍ଗୀତ ଗାନ କରିଥିଲେ । ପ୍ରାରମ୍ଭରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଡଃ ଏନ. ନାଗାରାଜୁ କବି ଗଙ୍ଗାଧର ମେହେରଙ୍କ କାବ୍ୟ କବିତାର ବୈଶିଷ୍ଟ୍ୟ ସମ୍ପର୍କରେ କହିବା ସହିତ ସ୍ୱଭାବ କବିଙ୍କ ତିରୋଧାନ ଶତବାର୍ଷିକୀରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ବର୍ଷବ୍ୟାପୀ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ । ଗବେଷକ ପଦ୍ମଲୋଚନ ଦାଶ, ପ୍ରଦୀପ ପଣ୍ଡା, ଶ୍ୟାମ ଭୋଇ, ଦୀପକ କୁମାର ପଣ୍ଡା, ସନ୍ତୋଷ କୁମାର ପିଙ୍ଗ ମଧ୍ୟ ଆଲୋଚନା କରିଥିଲେ । ପ୍ରଫୁଲ୍ଲ ମିତ୍ର ଗଙ୍ଗାଧର ସାହିତ୍ୟରେ କବି କଳ୍ପନା ଓ ଶବ୍ଦାବଳୀ ଅନୁଯାୟୀ ତାଳ, ଲୟ ଓ ସୂରର ମହତ୍ତ୍ୱ, ରାଗ ରାଗିଣୀ ବାବଦରେ ଆଲୋଚନା କରିଥିଲେ ।