ଟଙ୍କା ଜମା ଦେବାକୁ ଦୁଇ ବର୍ଷ: ଚାଷୀଙ୍କୁ କେବେ ମିଳିବ ସୌରଚାଳିତ ନଳକୂପ

 ଗୋଲାମୁଣ୍ଡା : ପୂର୍ବ ବିଜେଡି ସରକାର ସମୟରେ କାଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଶତାଧିକ ଚାଷୀ ଉଠା ଜଳସେଚନ ବିଭାଗରେ ସୌରଚାଳିତ ଗଭୀର ନଳକୂପ ପାଇଁ ଟଙ୍କା ପଇଠ କରିଥିଲେ ସୁଦ୍ଧା ଆଜକୁ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ସୌରଚାଳିତ ଗଭୀର ନଳକୂପ ଖନନ ପାଇଁ ଅନୁମତି ନମିଳିବା ଘଟଣା ବ୍ଲକ ଚାଷୀ ମହଳରେ ଅସନ୍ତୋଷର ଦାନା ବନ୍ଧୁଛି  । ୨୦୨୩ ମସିହାରେ ପୂର୍ବ ସରକାରଙ୍କ ସମୟରେ ଉଠା ଜଳସେଚନ ବିଭାଗର ବିଜ୍ଞପ୍ତି ଅନୁସାରେ ଗୋଲାମୁଣ୍ଡା ବ୍ଲକର ଚାଷୀ ଅନଲାଇନ ମାଧ୍ୟମରେ ଆବେଦନ କରି ସାଧାରଣ ବର୍ଗ ଲୋକେ ଗୋଟିଏ ସୌରଚାଳିତ ଗଭୀର ନଳକୂପ ପାଇଁ ୨୦ ହଜାର ଟଙ୍କା ଓ ଆଦିବାସି,ହରିଜନ ବର୍ଗର ଚାଷୀ ମାନେ ୧୦ ହଜାର ଟଙ୍କା ଅନଲାଇନ ମାଧ୍ୟମରେ ପଇଠ କରିଥିଲେ  । ସେ ସମୟରେ ଚାଷୀଙ୍କୁ ଯଥାଶିଘ୍ର ସୌରଚାଳିତ ଗଭୀର ନଳକୂପ ଖନନ କରି ତାହା କାର୍ଯ୍ୟକ୍ଷମ କରାଯିବ ବୋଲି ସଂପୃକ୍ତ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା  । ସମୟ ଗଡିବା ସାଙ୍ଗକୁ ଚାଷୀମାନେ ବାରମ୍ବାର ଏଦିଗରେ ସଂପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜକୁ ଦିର୍ଘ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଷୀଙ୍କ ଜମିରେ ଆଜି ପର୍ଯ୍ୟନ୍ତ ସୌରଚାଳିତ ଗଭୀର ନଳକୂପ ଖନନ କରାଯାଇ ନାହିଁ । ବର୍ତ୍ତମାନ ରାଜ୍ୟରେ ନୂତନ ସରକାର ଆସିଥିବା ବେଳେ ଗତ କିଛି ମାସ ହେଲା ନୂଆପଡା ଜିଲ୍ଲାର ଚାଷୀଙ୍କ ଜମିରେ ସୌରଚାଳିତ ଗଭୀର ନଳକୂପ ଖନନ କରି ତାହା କାର୍ଯ୍ୟକ୍ଷମ ହୋଇ ସାରିଛି  । ଏଣୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷ ଜମିରେ ଯଥାଶିଘ୍ର ସୌରଚାଳିତ ଗଭୀର ନଳକୂପ ଖନନ କରାଯାଇ କାର୍ଯ୍ୟକ୍ଷମ କରିବାକୁ ବ୍ଲକର ପ୍ରସନ୍ନ ରାଉତ,ସୁବାଷ ଚନ୍ଦ୍ର ରାଉତ, ଅରୁଣ ରାଉତ, ପୁସ୍ତମ ବଗର୍ତ୍ତି, ପ୍ରିୟ ରଞ୍ଜନ ପଟେଲ, ମାନସ ନାଏକ, ପ୍ରଦୁଣ୍ୟ ରାଉତ, ଦେବରାଜ ରାଉତଙ୍କ ସମେତ ଶତାଧିକ ଚାଷୀ ଦାବି କରିଛନ୍ତି  ।