ଟିପିସିଓଡିଏଲ୍ ପକ୍ଷରୁ ରଥଯାତ୍ରା ପାଇଁ ସୁରକ୍ଷିତ ବିଦୁ୍ୟତ୍ ଯୋଗାଣ
ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ୍ (ଟିପିସିଓଡିଏଲ୍) ପୁରୀରେ ରଥଯାତ୍ରା ୨୦୨୫ ସମୟରେ ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦୁ୍ୟତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ସୁରକ୍ଷା ଓ ଭିର୍ତ୍ତିଭୂମି ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରିଛି । ଚବିଶ ଘଣ୍ଟା ୮୦୦ କର୍ମଚାରୀଙ୍କୁ ମୂତୟନ କରି ଟିପିସିଓଡିଏଲ୍ ପକ୍ଷରୁ ରଥଯାତ୍ରା ୨୦୨୫ ପାଇଁ ଦୃଢ଼ ସୁରକ୍ଷା ଅଭିଯାନ ଗ୍ରହଣ କରାଯାଇଛି । ଏଥିରେ ଲିକେଜ୍ କରେଣ୍ଟ ପରୀକ୍ଷା, ଲୁହା ଖୁଣ୍ଟରେ ଇନସୁଲେସନ ପେଣ୍ଟିଂ ଏବଂ ଲୋକମାନଙ୍କ ସୁରକ୍ଷା ପାଇଁ ଡିଟି ଫେନ୍ସିଂ ଦେବା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯାଇଛି । ପବିତ୍ର ଯାତ୍ରା ସମୟରେ ଭରସାଯୋଗ୍ୟ ବିଦୁ୍ୟତ୍ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ପ୍ରତିଷେଧମୂଳକ ଓ ପୂର୍ବାନୁମାନ ଭିର୍ତ୍ତିକ ରକ୍ଷଣାବେକ୍ଷଣ ସହିତ ଫିଡର, ବିଦୁ୍ୟତ୍ ଓ ବିତରଣ ଟ୍ରାନ୍ସଫରମରଗୁଡ଼ିକର ନେଟ୍ୱର୍କରେ ଉନ୍ନତି ଅଣାଯାଇଛି । ବିଦୁ୍ୟତ୍ ବିଭ୍ରାଟକୁ ଏଡାଇବା ଲାଗି ରିଲେ ପ୍ରୋଟେକ୍ସନ ସେଟିଂର ବ୍ୟାପକ ପରୀକ୍ଷଣ କରାଯାଇଛି ।
ପୁରୀରେ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ୧ ଲକ୍ଷ ସୁରକ୍ଷା ସମ୍ପର୍କିତ ଲିଫଲେଟ୍ ବଂଟନ କରାଯାଇଥିବା ବେଳେ ସହର ସାରା ନିରନ୍ତର ସାର୍ବଜନୀନ ଘୋଷଣା ଏବଂ ପ୍ରମୁଖ ସ୍ଥାନଗୁଡ଼ିକରେ ସୁରକ୍ଷା ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ପଥପ୍ରାନ୍ତ ନାଟକ ଜରିଆରେ ଲୋକଙ୍କୁ ଯୋଡ଼ିବା ପାଇଁ ପଲିଶ୍ରୀ ମେଳାରେ ନୁକଡ଼ ନାଟକର ଯୋଜନା କରାଯାଇଛି । ଭିଡ଼ ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବଡ଼ ଦାଣ୍ଡରେ ଖୋଲା ତାରଗୁଡ଼ିକୁ ନିବୁଜ କରାଯାଇଥିବା ବେଳେ ସାମୟିକ ବାଡ଼ ଦିଆଯାଇଛି । ଜରୁରୀକାଳୀନ ସ୍ଥିତି ପାଇଁ ଚାରିଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଡିସପେନ୍ସେରି ମୂତୟନ କରାଯାଇଛି । ପ୍ରତି ଏମ୍ଏଚ୍ଡିରେ ପରାମର୍ଶ କୋଠରି, ପରୀକ୍ଷା ଶଯ୍ୟା ଓ ଏକ ଡିସ୍ପେନ୍ସେରି କାଉଣ୍ଟର ସହିତ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ ରହିଛନ୍ତି ।