ଟେଣ୍ଡର ଫିକ୍ସି ଲାଗି ୧୦ ଲକ୍ଷ ଲାଞ୍ଚ ନେବା ମାମଲା; ପୁଣି ୫ ଦିନିଆ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ୱର,୧୧ା୧୨ : ଟେଣ୍ଡର ଫିକ୍ସି ଲାଗି ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କର ପ୍ରଥମ ପର୍ଯ୍ୟାୟରେ ୩ ଦିନିଆ ରିମାଣ୍ଡ ଅବଧି ବୁଧବାର ଶେଷ ହୋଇଛି । ରିମାଣ୍ଡ ଶେଷ ହେବା ପରେ ଗିରଫ ୩ ଅଭିଯୁକ୍ତ ବ୍ରିଜ ଆଣ୍ଡ ରୁପ କମ୍ପାନୀର ଓଡ଼ିଶା ଓ ପଶ୍ଚିମବଙ୍ଗର ମ୍ୟାନେଜର ଚଞ୍ଚଲ ମୁର୍ଖାଜୀ, ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡ଼ିଓର ନିଦେ୍ର୍ଦଶକ ସନ୍ତୋଷ ମହାରଣାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଗିରଫ ୩ ଅଭିଯୁକ୍ତଙ୍କ ଠାରୁ ଆହୁରି ଅଧିକ ତଥ୍ୟ ହାସଲ କରିବା ଲାଗି ସେମାନଙ୍କୁ ଅଧିକ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା ।ର୍ କିନ୍ତୁ ଅଭିଯୁକ୍ତମାନଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି ସିବିଆଇ କୋର୍ଟ । ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କୁ ଜେରା ବେଳେ ତଦନ୍ତବୁ୍ୟରୋ ଅଧିକାରୀମାନଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ଏପରିକି ସରକାରୀ ଅଧିକାରୀ ଓ ସୁପରକ୍ଲାସ କଣ୍ଟ୍ରାକ୍ଟରଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଥିବା ସିବିଆଇ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି । ଏପରିକି ଉଭୟଙ୍କ ମଧ୍ୟରେ ବଡ଼ଧରଣର ଆର୍ଥିକ କାରବାର ହୋଇଥିବାରୁ ଏ ସଂକ୍ରାନ୍ତୀୟ ହିସାବ ଜାଣିବା ନିମନ୍ତେ ସିବିଆଇ ଅଧିକାରୀମାନେ ଆୟକର ବିଭାଗର ଅଧିକାରୀମାନଙ୍କର ସହାୟତା ଲୋଡ଼ିଛନ୍ତି । ଏଥିପାଇଁ ଦିଲ୍ଲୀରୁ ଏକ ୩ ଜଣିଆ ଆୟକର ବିଭାଗର ଟିମ ଭୁବନେଶ୍ୱର ପହଞ୍ଚି ତଦନ୍ତ ପ୍ରକ୍ରିୟାରେ ନିଜକୁ ସାମିଲ କରିଥିବା ଜଣାପଡ଼ିଛି । ଏସବୁ ମଧ୍ୟରେ ସିବିଆଇ ଅଧିକାରୀମାନେ ସୁପରକ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କ ଘରୁ ଜବତ କରିଥିବା ଡିଜିଟାଲ ଲକରରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବିପୁଳମାତ୍ରାରେ ସୁନା ଅଳଙ୍କାର ଜବତ କରିଛି । ଏସବୁ ତଥ୍ୟ ସିବିଆଇ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି ।
ସୂଚନା ଥାଉକି, ବ୍ରିଜ ଆଣ୍ଡ୍ ରୁଫ ପକ୍ଷରୁ ଓଡ଼ିଶାରେ ଏକ ବଡ଼ଧରଣର ନିର୍ମାଣ କାମକୁ ନେଇ ସିବିଆଇ ଠାରେ ଅଭିଯୋଗ ହୋଇଥିଲା । ଉକ୍ତ ନିର୍ମାଣ କାମ ଲାଗି ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅର୍ଥ ହେରଫେର ନେଇ କମ୍ପାନୀର ମୁଖ୍ୟ ସିବିଆଇ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ । ଏନେଇ ଅଭିଯୋଗ ଆସିବା ପରେ ଦିଲ୍ଲୀ ସିବିଆଇର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ୱର ପହଞ୍ଚି ଗତ ଶନିବାର ଲାଞ୍ଚ କାରବାର ହେଉଥିବା ବେଳେ ଦୁଇ ମଧ୍ୟସ୍ଥିତଙ୍କ ସହ ବ୍ରିଜ ଆଣ୍ଡ୍ ରୁଫ କମ୍ପାନୀର ଜେନେରାଲ ମ୍ୟାନେଜରଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଥିବା ବେଳେ ସେମାନଙ୍କୁ ରବିବାର ଦିନ ଗିରଫ କରାଯାଇଥିଲା ।