ରାଜଧାନୀରେ ବାଣ ବିସ୍ଫୋରଣ ଘଟଣା


ପୁଅ ଗିରଫ; ମାଷ୍ଟରମାଇଣ୍ଡ ବାପା ଫେରାର
ଭୁବନେଶ୍ୱର, ୧୩ା୧୧ : ରାଜଧାନୀରେ ବେଆଇନ ବାଣ ବିସ୍ପୋରଣ ଘଟଣାରେ ଫେରାର ଥିବା ପୁଅକୁ ପୁଲିସ ଗିରଫ କରିଥିବା ବେଳେ, ମାଷ୍ଟରମାଇଣ୍ଡ ବାପା ଏବେବି ପୁଲିସ ହାତରୁ ଫେରାର ରହିଛନ୍ତି । କାରଣ ପୂର୍ବରୁ ବେଆଇନ୍ ବାଣ କାରଖାନା କରି ବିକ୍ରି କରୁଥିବା ନେଇ ଏକ୍ସପ୍ଲୋସିଭ ଆକ୍ଟରେ ମାମଲା ରୁଜୁ କରିଥିଲା ଇନଫୋସିଟି ଥାନା ପୁଲିସ  । ସେପଟେ ଫେରାର ମାଷ୍ଟରମାଇଣ୍ଡ ବାପାକୁ ଧରିବାକୁ ପୁଲିସି ଖୋଳତାଡ଼ ଆରମ୍ଭ କରୁଥିବା ଭୁବେନଶ୍ୱର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି  ।
 ସୂଚନା ମୁତାବକ, ଗତ ୨ ଦିନ ତଳେ ଭୁବନେଶ୍ୱର ଇନଫୋସିଟି ଥାନା ନିକଟ ଚୁନୁକୁଳି ଅଞ୍ଚଳରେ ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରୁ ବର୍ତ୍ତିଯାଇଥିଲା ଏକାଧିକ ଜୀବନ । କାରଣ ଯେଉଁ ଘରେ ବିସ୍ଫୋରଣ ଘଟିଛି, ସେଠାରେ ଭଡାରେ ରହୁଥିଲେ ୨୧ ଜଣ ଝିଅ । ହେଲେ ଭାଗ୍ୟ ବଶତ ଯେତେବେଳେ ବିସ୍ଫୋରଣ ଘଟିଲା, ସେତେବେଳେ ଘର ଭିତରେ କେହି ନଥିଲେ  । ଯାହାଫଳରେ ସମସ୍ତଙ୍କ ଜୀବନ ବର୍ତ୍ତିଯାଇଥିଲା । ଯଦି ସେମାନେ ଘରେ ଥାନ୍ତେ, ତାହେଲେ କୌଣସି ଅଘଟଣକୁ ଏଡାଇ ଦିଆଯାଇପାରିନଥାନ୍ତା । ଗିରଫ ଅଭିଯୁକ୍ତ ହେଲେ ବାଣ ବ୍ୟବସାୟୀଙ୍କ ପୁଅ ଋତୁରାଜ ପଟ୍ଟନାୟକ । ଋତୁରାଜଙ୍କୁ ନିଜ ଗାଁ ଜଗତସିଂହପୁର ଅଞ୍ଚଳରୁ ଗିରଫ କରାଯାଇଛି । ଗୁରୁବାର କୋର୍ଟ ଚାଲାଣ କରାଯିବ । ସେପଟେ ଘଟଣାସ୍ଥଳରୁ ଜବତ ବାଣର ନମୁନା ଫରେନସିକ୍ ଲାବକୁ ପଠାଇଛି କମିଶନରେଟ୍ ପୁଲିସ  । ବାଣ ଗୋଦାମ ମାଲିକ ଋତୁରାଜଙ୍କ ବାପା ଏବେବି ଫେରାର ଅଛନ୍ତି  । ଏ ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି  ।