ଟୋଲ୍ ଟ୍ୟାକ୍ସ ଗୁଜବ
ଲୋକମାନଙ୍କ ନିକଟରେ ସୂଚନା ପହଞ୍ଚିବାର ବ୍ୟବସ୍ଥା ଦିନକୁ ଦିନ ଯେତିକି ଶସ୍ତା ଓ ସୁବିଧାଜନକ ହେଉଛି ସେହି ଅନୁପାତରେ ବିଭ୍ରାନ୍ତିକର ସୂଚନାଗୁଡ଼ିକ ମଧ୍ୟ ପହଞ୍ଚିବାରେ ସହଜ ହେଉଛି । ଲୋକମାନେ ସୂଚନା ଓ ବିଭ୍ରାନ୍ତିକର ସୂଚନା ମଧ୍ୟରେ ପାର୍ଥକ୍ୟ ଜାଣିପାରୁନଥିବାରୁ ବିଭ୍ରାନ୍ତିକର ସୂଚନାକୁ ସୂଚନା ବୋଲି ଧରି ନେଉଛନ୍ତି । ଏପରି ହେବା ଦ୍ୱାରା ବିଭିନ୍ନ ସମୟରେ ସମସ୍ୟାମାନ ସୃଷ୍ଟି ହେଉଛି । ହିଂସା ଭଳି ଘଟଣା ଘଟୁଛି । ବିଭିନ୍ନ ପ୍ରକାରର ଅପରାଧ ମଧ୍ୟ ଘଟିଯାଉଛି ।
ନିକଟରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ସମ୍ପର୍କିତ ଏକ ଗୁଜବ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଲା । ତାହା ହେଲା ଜାତୀୟ ରାଜପଥରେ ଥିବା ଟୋଲ୍ ଗେଟ୍ଗୁଡ଼ିକରେ ଦୁଇଚକିଆ ଯାନ ଉପରେ ଟିକସ ଲାଗିବ । ବର୍ତ୍ତମାନ ସମୟରେ ଆର୍ଥôକ ଦୃଷ୍ଟିରୁ ଗରିବ ଶ୍ରେଣୀର ଲୋକଙ୍କ ଘରେ ବି ଦୁଇଚକିଆ ଯାନ ରହିଛି । ଦିନକୁ ଦିନ ସାଇକେଲ୍ର ବ୍ୟବହାର କମି କମି ଯାଉଛି । ସାଇକେଲ୍ ବ୍ୟବହାରର କେତେ ପ୍ରକାରର ଉପକାରିତା ଗଣମାଧ୍ୟମରେ ପ୍ରଚାର କରିଲେ ମଧ୍ୟ ଲୋକଙ୍କ ଘରେ ସାଇକେଲ୍ ଦେଖିବାକୁ ମିଳୁନାହିଁ । ଏଭଳି ଏକ ସମୟରେ ଦୁଇଚକିଆ ଯାନର ବ୍ୟବହାର ସର୍ବାଧିକ ହେଉଥିବା ବେଳେ ଟୋଲ୍ ଗେଟ୍ଗୁଡ଼ିକରେ ଏହା ଉପରେ ଟିକସ ଲାଗିବା ସମ୍ପର୍କିତ ଏକ ସମ୍ବାଦକୁ ହଠାତ୍ କେହି ଅବିଶ୍ୱାସ ମଧ୍ୟ କରୁନାହାନ୍ତି । ସରକାର ବର୍ତ୍ତମାନ ବ୍ୟାଙ୍କ୍ କ୍ଷେତ୍ରରୁ ଆରମ୍ଭ କରି ଅନ୍ୟାନ୍ୟ ବିଭିନ୍ନ ସାମାଜିକ କ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଟିକସ ବସାଉଥିବାରୁ ଦୁଇଚକିଆ ଯାନ ଉପରେ ଟୋଲ୍ ଟିକସ ବସାଇବା ଘଟଣାକୁ ସାମାଜିକ ଗଣମାଧ୍ୟମରୁ ଦେଖିବା ମାତ୍ରକେ ଲୋକମାନେ ବିଶ୍ୱାସ କରି ଯାଉଛନ୍ତି । ଏ ପ୍ରକାରର ଘଟଣା ସବୁ ବାରମ୍ବାର ମିଛ ପ୍ରସାରିତ ହେଉଥିବାରୁ ଲୋକମାନଙ୍କର ଅବିଶ୍ୱାସ ସୃଷ୍ଟି ହେଉନାହିଁ । ଏହି ଗୁଜବଟି ସମଗ୍ର ଦେଶରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜାତୀୟ ରାଜପଥ ମନ୍ତ୍ରଣାଳୟର ମନ୍ତ୍ରୀ ନୀତିନ୍ ଗଡ଼କରୀ ବ୍ୟକ୍ତିଗତ ଭାବରେ ଏହା ଉପରେ ସ୍ପଷ୍ଟୀକରଣ ଦେଇ ଏ ପ୍ରକାରର ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନାହିଁ ବୋଲି କହିଛନ୍ତି ।
ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ଗୁଜବ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଉଥିବା ବେଳେ କେବଳ ସେସବୁକୁ ଖଣ୍ଡନ କରାଗଲେ ଏହାର କିଛି ସୁଫଳ ମିଳୁନାହିଁ । ଏ ପ୍ରକାରର ଗୁଜବକୁ ସୃଷ୍ଟି କରୁଥିବା ଲୋକମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡର ଆବଶ୍ୟକତା ଅଛି । ଲୋକମାନଙ୍କୁ ଗୁଜବ ପ୍ରଚାର ପାଇଁ ଦଣ୍ଡ ଦିଆଯାଉନଥିବାରୁ ଗୁଜବ ପ୍ରଚାର କରିବା କ୍ଷେତ୍ରରେ କାହାରି ଭୟ ରହୁନାହିଁ । ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ଚରିତ୍ର ସଂହାର କରିବା ଭଳି କାର୍ଯ୍ୟ ଠାରୁ ଆରମ୍ଭ କରି ପ୍ରତିଷ୍ଠାରେ ଆଞ୍ଚ୍ ଆଣିବା ଭଳି ଭୟ ଦେଖାଇ ଟଙ୍କା ଆଦାୟ କରିବା ଭଳି ମନୋବୃତ୍ତି ରଖିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଉଦେ୍ଦଶ୍ୟରେ ଦୁଷ୍ଟ ବୁଦ୍ଧିସମ୍ପନ୍ନ ବ୍ୟକ୍ତିମାନେ ଗୁଜବ ପ୍ରଚାର କରୁଛନ୍ତି । ଏହା ବିରୁଦ୍ଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏବଂ ପୁଲିସ୍ ନିର୍ଦ୍ଦିଷ୍ଟ ଭାବରେ ଅଭିଯୋଗକୁ ଅପେକ୍ଷା କରୁଥିବାରୁ ଲୋକମାନଙ୍କର ଭୟ ମଧ୍ୟ ରହୁନାହିଁ । ବିଶେଷ କରି ସରକାରଙ୍କର ନୀତି, ନିଷ୍ପତ୍ତି ଏବଂ ବିଜ୍ଞପ୍ତି ସମ୍ପର୍କିତ ଗୁଜବଗୁଡ଼ିକୁ ସଙ୍ଗେ ସଙ୍ଗେ ପରୀକ୍ଷା କରି ମିଥ୍ୟା ଖବରକୁ ସାମାଜିକ ଗଣମାଧ୍ୟମରୁ ହଟେଇବାର ବ୍ୟବସ୍ଥା ମଧ୍ୟ ହେଉନାହିଁ । କୃତି୍ରମ ବୁଦ୍ଧିମତ୍ତା ପ୍ରୟୋଗ କରି ମିଥ୍ୟା ଖବର ଏବଂ ଗୁଜବକୁ ସାମାଜିକ ଗଣମାଧ୍ୟମରୁ ଅଲଗା କରିବାର ବ୍ୟବସ୍ଥା ପ୍ରଭାବଶାଳୀ ଭାବରେ କରାଯିବା ଆବଶ୍ୟକ । ଏହାର ଅଭାବରେ ଅନେକ ନିରୀହ ଓ ନିଦେ୍ର୍ଦାଷ ଲୋକଙ୍କର ଜୀବନ ଯାଉଛି । ଲୋକେ ଆତ୍ମହତ୍ୟା ମଧ୍ୟ କରୁଛନ୍ତି । ତେଣୁ ଗୁଜବ ସୃଷ୍ଟିକାରୀ ସମସ୍ତ ତତ୍ତ୍ୱ ଉପରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ।