ଡକାୟତି ଘଟଣାରେ ୨ ଗିରଫ

ଡକାୟତି ଘଟଣାରେ ୨ ଗିରଫ

ତାଳଚେର : ତାଳଚେର କୋଲିୟରୀ ଥାନା ଦେଉଳବେଡ଼ା ଅଞ୍ଚଳର ଅଶୋକ ଦାସଙ୍କ ଘରୁ ଗତ ବୁଧବର ସନ୍ଧ୍ୟାରେ ଏକ ବଡ଼ ଧରଣର ଡ଼କାୟତି ହୋଇଥିଲା । ପରିବାର ଲୋକ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବାବେଳେ ଦୁର୍ବୃତ୍ତମାନେ ଘର କବାଟ ଭାଙ୍ଗି ପ୍ରାୟ ୮୦ଭରି ସୁନା ଏବଂ ୧ଲକ୍ଷ ଟଙ୍କା ନେଇ ଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଏହାକୁ ନେଇ ସେହି ଅଂଚଳରେ ଆତଙ୍କ ସୃଷ୍ଟି କରିଥିଲା ।  ଦୁର୍ବୃତ୍ତମାନେ ଘର ଭିତରେ ପଶି ୮୦ଭରି ସୁନା ଓ ୧ଲକ୍ଷ ଟଙ୍କା ନେବା ପରେ ଅନ୍ୟାନ୍ୟ ନାମୀଦାମୀ ଜିନିଷପତ୍ର ଖୋଜାଖୋଜି କରୁଥିବା ବେଳେ ପରିବାର ଲୋକେ ଘରକୁ ପଂହଚି ଯାଇଥିଲେ । କବାଟ ଭଙ୍ଗା ଯାଇଥିବା ଦେଖି ତୁରନ୍ତ ଭିତରୁ ଯାଇ ଦେଖିଲାବେଳେକୁ ଦୁର୍ବୃତ୍ତମାନେ ଲୁଟାପାଟ୍‌ କରୁଥିଲେ । ସେହିପରି ହଠାତ୍‌ ପରିବାରଙ୍କୁ ଦେଖି ଦୁର୍ବୃତ୍ତମାନେ ଚମ୍ପଟ ମାରୁଥିବାବେଳେ ପରିବାର ଲୋକ ତାଙ୍କୁ କାବୁ କରିବାକୁ ଯାଇ ଦୁର୍ବୃତ୍ତଙ୍କ ଭୁଜାଲି ଓ ରଡ଼ ମାଡ଼ର ଶୀକାର ହୋଇ ଲହୁଲୁହାଣ ହୋଇଥିଲେ । ଏପରିକି ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିବାକୁ ଯାଇ ଘରେ ଲାଗିଥିବା ସିସି ଟିଭି ହାଡର଼୍ଡ଼ିସ୍କ ନେଇ ଯାଇଥିବା ବେଳେ ଧସ୍ତାଧସ୍ତିି ବେଳେ ହାଡ଼ଡ଼ିସ୍କି ଓ କିଛି ଅଳଙ୍କାର ମଧ୍ୟ ଖସି ପଡ଼ିଥିଲା । ଏ ସମ୍ପର୍କରେ ପରିବାର ଲୋକେ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ପକ୍ଷରୁ ଭିିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ଭଦ୍ରକ ଜିଲ୍ଲା ଧୁଷୁରୀ ଗ୍ରାମର ଗିରିଶ ନାଏକ (୪୦) ଓ ଯାଜପୁର ଅଂଚଳର ଅଭିମନ୍ୟୁ ସାହୁ (୨୫)ଙ୍କ ନିକଟରୁ କିଛି ସୁନା ଜବତ କରିବା ସହିତ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ପୁଲିସ୍‌ ପକ୍ଷରୁ ଜଣାପଡ଼ିଛି । ତେବେ ଏଥିରେ ଆଉ କେଉଁ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ସାପେକ୍ଷ ।