ଡିଭାଇଡର ଅଧପନ୍ତରିଆ, ବଢୁଛି ଅସନ୍ତୋଷ 


 ବୁଗୁଡ଼ା, : ବୁଗୁଡ଼ା ସହରର ସୌନ୍ଦର୍ଯ୍ୟ କରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ରାସ୍ତାର ସୌନ୍ଦର୍ଯ୍ୟକରଣ ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ରାସ୍ତାରେ ହୋଇଥିବା ଡିଭାଇଡର ବ୍ୟବସ୍ଥା ଅଧପନ୍ତରିଆ ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଥମ କରି ୨୦୧୪-୧୫ ଆର୍ଥିକ ବର୍ଷରେ ବୁଗୁଡ଼ା ସହର ଦେଇ ଯାଇଥିବା ୩୩ନଂ ରାଜ୍ୟ ରାଜପଥରେ ଡିଭାଇଡର ବ୍ୟବସ୍ଥା ହୋଇଥିଲା । ତେବେ କେବଳ ମଦନ ମୋହନ ଛକ ଠାରୁ ସିନେମା ହଲ୍ ଛକ ପର୍ଯ୍ୟନ୍ତ ଡିଭାଇଡର ନିର୍ମାଣ ହୋଇଥିଲେ ହେଁ ହାଇସ୍କୁଲ ଛକ ଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ରାସ୍ତାରେ ଡିଭାଇଡର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଥିଲେ ସୁଦ୍ଧା ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନହୋଇ ଶୀତଳ ଭଣ୍ଡାରରେ ପଡିରହିଛି । ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତାର ସଂକୀର୍ଣ୍ଣତା ଯୋଗୁଁ ଡିଭାଇଡର ହୋଇପାରୁ ନଥିବା ଦର୍ଶାଉଥିବା ବେଳେ ପୋଲସରା ସହରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତାରେ ଡିଭାଇଡର ବ୍ୟବସ୍ଥା ହୋଇଥିଲେ ହେଁ ସେହି ଏକା ନିର୍ବାଚନମଣ୍ଡଳୀରେ ଆସୁଥିବା ବୁଗୁଡ଼ା ସହର ପ୍ରତି ବୈମାତୃକ ମନୋଭାବ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଅସମ୍ପୂର୍ଣ୍ଣ ଡିଭାଇଡରକୁ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ ଦାବି ହେଉଛି ।