ଡିଭାଇଡର ଅଧପନ୍ତରିଆ, ବଢୁଛି ଅସନ୍ତୋଷ
ବୁଗୁଡ଼ାରୁ ଶିବା ଦୋରା : ବୁଗୁଡ଼ା ସହରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ ଅଜସ୍ର ଟଙ୍କା ଖର୍ଚ୍ଚ କରାଯାଉଛି । ରାସ୍ତାର ସୌନ୍ଦର୍ଯ୍ୟକରଣ ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରାସ୍ତାରେ ଡିଭାଇଡର ବ୍ୟବସ୍ଥା କରାଯାଇଥିଲା । ମାତ୍ର ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୋଇ ଅଧପନ୍ତରିଆ ଅବସ୍ଥାରେ ପଡିରହିଛି । ଯାହାକୁ ନେଇ ଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ପ୍ରଥମ କରି ୨୦୧୪-୧୫ ଆର୍ଥôକ ବର୍ଷରେ ବୁଗୁଡ଼ା ସହର ଦେଇ ଯାଇଥିବା ୩୩ନଂ ରାଜ୍ୟ ରାଜପଥରେ ଡିଭାଇଡର ବ୍ୟବସ୍ଥା ହୋଇଥିଲା । ତେବେ କେବଳ ମଦନ ମୋହନ ଛକ ଠାରୁ ସିନେମା ହଲ୍ ଛକ ପର୍ଯ୍ୟନ୍ତ ଡିଭାଇଡର ନିର୍ମାଣ ହୋଇଥିଲେ ହେଁ ହାଇସ୍କୁଲ ଛକ ଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ରାସ୍ତାରେ ଡିଭାଇଡର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ ହୋଇ ଶୀତଳ ଭଣ୍ଡାରରେ ପଡି ରହିଛି । ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତାର ସଂକୀର୍ଣ୍ଣତା ଯୋଗୁଁ ଡିଭାଇଡର ହୋଇପାରୁ ନଥିବା ଦର୍ଶାଉଥିବା ବେଳେ ପୋଲସରା ସହରର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାୟ ୩ କିମି ରାସ୍ତାରେ ଡିଭାଇଡର ବ୍ୟବସ୍ଥା ହୋଇଥିଲେ ହେଁ ସେହି ଏକା ନିର୍ବାଚନ ମଣ୍ଡଳୀରେ ଆସୁଥିବା ବୁଗୁଡ଼ା ସହର ପ୍ରତି ବୈମାତୃକ ମନୋଭାବ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏଥି ସହ ଡିଭାଇଡର ବ୍ୟବସ୍ଥା କରିବା ଦିଗରେ ସ୍ଥାନୀୟ ନେତାଗଣଙ୍କ ପ୍ରତିଶ୍ରୁତି ଏବେ ପ୍ରତାରଣା ପାଲଟିଥିବାବେଳେ ସେମାନଙ୍କ ଅପାରଗତାକୁ ନେଇ ସାଧାରଣରେ ସମାଲୋଚନା ଜୋର ଧରିଛି । ଏଣୁ ଏହି ଅସମ୍ପୂର୍ଣ୍ଣ ଡିଭାଇଡରକୁ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ ଦାବି ହେଉଛି ।