ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦିଅ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଆକାଶ ମାର୍ଗରୁ ଲଗାଣବର୍ଷା ପ୍ରଭାବିତ ମାଲକାନଗିରି ଜିଲ୍ଲାର ସ୍ଥିତି ପରଖିଛନ୍ତି । ଏହାସହିତ ବର୍ଷା ଯୋଗୁ କଚ୍ଚାଘର ଭାଙ୍ଗିଥିବା ସମସ୍ତ ପରିବାରକୁ ତୁରନ୍ତ ସହାୟତା ଦେବା ସହ ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ଆକଳନ ରିପୋର୍ଟ ପଠାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ବର୍ଷା ଯୋଗୁ ଉଭୟ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୮୮୩୦ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ଗୁରୁବାର  ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରିସ୍ଥିତିର ସମୀକ୍ଷା କରିବା ସହ ଜଣେ ବି ପ୍ରଭାବିତ ବ୍ୟକ୍ତି ଯେଭଳି ସରକାରୀ ସହାୟତାରୁ ବଂଚିତ ନହେବେ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବିତ ଅଂଚଳରେ ଜଳବାହକ ରୋଗର ଆଶଙ୍କାକୁ ଏଡ଼ାଇବା ପାଇଁ ପର୍ୟ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ପୂର୍ବ ପ୍ରସ୍ତୁତି ଯୋଗୁ ଜିରୋ କାଜୁଆଲିଟି ସମ୍ଭବପର ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ।ସେହିପରି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀ ଜରୁରୀ ସମୟରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସେବାକୁ ପ୍ରଶଂସା କରିବା ସହ ଓଡ଼ିଶା ରିଲିଫ କୋଡ୍ ଅନୁସାରେ ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଇ ପର୍ୟ୍ୟାପ୍ତ ସହଯୋଗ ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ।