ରାଜ୍ୟରେ ଆରମ୍ଭ ହେଲା ଅର୍ଫାନ୍ ସର୍ଭେ

 ଭୁବନେଶ୍ୱର:  ରାଜ୍ୟରେ ଆରମ୍ଭ ହୋଇଛି ଅର୍ଫାନ୍ ସର୍ଭେ ବା ପିତୃମାତୃହୀନ ଶିଶୁ ଚିହ୍ନଟ ଅଭିଯାନ । ପ୍ରତି ୪ ବର୍ଷରେ ଥରେ ଯଶୋଦା ଯୋଜନାରେ ଏହି ଅଭିଯାନ କରାଯାଉଛି । ଏହି କ୍ରମରେ ଚଳିତ ବର୍ଷ ପାଇଁ ମଧ୍ୟ ଗତ ୧୧ରୁ ସର୍ଭେ ଆରମ୍ଭ  ହୋଇଛି । ଅଭିଯାନରେ ଅଙ୍ଗନବାଡି କର୍ମୀମାନେ ଆସନ୍ତା ୨୧ ପର୍ଯ୍ୟନ୍ତ ଘରକୁ ଘର ବୁଲି ପିତୃମାତୃହୀନ ଶିଶୁଙ୍କୁ ଚିହ୍ନଟ କରିବା ସହିତ ନିର୍ଦ୍ଦିଷ୍ଟ ଫର୍ମରେ ସବିଶେଷ ତଥ୍ୟ ସଂଗ୍ରହ କରୁଛନ୍ତି । ଏଥିରେ ଉଭୟ ପିତାମାତାଙ୍କୁ ହରାଇ ଥିବା ଶିଶୁ, ପିତାଙ୍କୁ ହରାଇ ମାତାଙ୍କ ସହିତ କିମ୍ବା ମାତାଙ୍କୁ ହରାଇ ୪୦%ରୁ ଅଧିକ ଭିନ୍ନକ୍ଷମ/ଦୂରାରୋଗ୍ୟ ବ୍ୟାଧିଗ୍ରସ୍ତ କାରଣରୁ ରୋଜଗାରହୀନ ପିତାଙ୍କ ସହିତ ରହୁଥିବା ଶିଶୁମାନଙ୍କୁ ଚିହ୍ନଟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୧ ଜୁନ, ୨୦୨୫ ସୁଦ୍ଧା ଜନ୍ମରୁ ୧୮ ବର୍ଷ ବୟସ ଯାଏଁ ଶିଶୁ ଓ ନାବାଳକମାନଙ୍କୁ ଏଥିରେ ଚିହ୍ନଟ କରାଯିବ । ପରବର୍ତ୍ତୀ ସମୟରେ ଚିହ୍ନଟ ଶିଶୁମାନଙ୍କର ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଯନô, ସୁରକ୍ଷା ତଥା ଥଇଥାନ ଯୋଜନା ପ୍ରସ୍ତୁତି କରାଯିବ ।
ବ୍ୟବସ୍ଥାର ଅନୁପାଳନ ସ୍ୱରୂପ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜିଲ୍ଲାମାନଙ୍କ ପାଇଁ ଅରଫାନ ସର୍ଭେ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିପାଇଁ ରାଜ୍ୟସ୍ତରରେ ସ୍ୱତନ୍ତ୍ର ଫର୍ମ ପ୍ରସ୍ତୁତ ହେବା ସହିତ ଜିଲ୍ଲାସ୍ତରରେ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ଜିଲ୍ଲାସ୍ତରରେ ତାଲିମଦାତାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି ଏବଂ ଏହି ତାଲିମଦାତାମାନେ ଅଙ୍ଗନବାଡି କର୍ମୀଙ୍କୁ ସର୍ଭେ ସମ୍ବନ୍ଧୀୟ ତାଲିମ ଓ ସୂଚନା ପ୍ରଦାନ କରିଛନ୍ତି । ଚିହ୍ନଟ ପ୍ରକ୍ରିୟା ପରେ ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଶିଶୁର ତଥ୍ୟକୁ ‘ଆମରି ଶିଶୁ' ପୋର୍ଟାଲରେ ଦାଖଲ କରାଯିବ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଏହି ତଥ୍ୟକୁ ସମ୍ମିଳିତ କରି ସବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବେ । ସୂଚନାଯୋଗ୍ୟ, ଶିଶୁଙ୍କର ବଞ୍ଚିବାର ଅଧିକାର, ବିକାଶର ଅଧିକାର, ସୁରକ୍ଷାର ଅଧିକାର ଏବଂ ଅଂଶଗ୍ରହଣ କରିବାର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଯନô ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁର ଚିହ୍ନଟ ଗୁରୁତ୍ୱପୂର୍ଣ୍ଣ ।