ଡୋକ୍ରା ରାକ୍ଷୀ ମାଧ୍ୟମରେ ମହିଳା ହେଉଛନ୍ତି ଆତ୍ମନିର୍ଭରଶୀଳ

ଭୁବନେଶ୍ୱର : ପାଖେଇ ଆସୁଛି ଭାଇଭଉଣୀଙ୍କ ସ୍ନେହର ପର୍ବ ପବିତ୍ର ରକ୍ଷାବନ୍ଧନ । ଟିପିସିଓଡିଏଲ ଏହାର ସିଏସଆର ପ୍ରକଳ୍ପ ସମୃଦ୍ଧି ମାଧ୍ୟମରେ ଓଡ଼ିଶାର ଅନନ୍ୟ ସଂସ୍କୃତିକ ଲୋକକଳା ପଟ୍ଟଚିତ୍ର ଓ ଡୋକ୍ରା କାରିଗରୀକୁ ନେଇ ପ୍ରସ୍ତୁତ ପରିବେଶ ଉପଯୋଗୀ ରାକ୍ଷୀର ପ୍ରଚାର ପ୍ରସାର ଦିଗରେ ନେଇଛି ଅଭିନବ ପଦକ୍ଷେପ । ମହିଳା ସଶକ୍ତିକରଣ ଓ କଳା ସଂସ୍କୃତିର ସୁରକ୍ଷା ଉଦେ୍ଦଶ୍ୟରେ, ଟିପିସିଓଡିଏଲ ଓଡିଶାର ପାରମ୍ପରିକ ଶିଳ୍ପ ପଟ୍ଟଚିତ୍ର, ଡୋକ୍ରା ଓ ତାଳପତ୍ର ଶିଳ୍ପ ବ୍ୟବହାର କରି ପ୍ରାକୃତିକ ଓ ପରିବେଶ ଅନୁକୂଳ ରାକ୍ଷୀ ତିଆରିରେ ଗ୍ରାମୀଣ ମହିଳା ଓ ଶିଳ୍ପୀଙ୍କୁ ସହଯୋଗ କରୁଛି । ଏହି ହାତ ତିଆରି ରାକ୍ଷୀଗୁଡିକ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଆର୍ଟ କ୍ଲଷ୍ଟର୍ ଓ ଢେଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ହେରିଟେଜ ଭିଲେଜର ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି  । ଯାହାକୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯାଉଛି । କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ପରିବେଶ ଅନୁକୂଳ ରାକ୍ଷୀଗୁଡ଼ିକୁ ପ୍ରଦର୍ଶନ କରିବା ପାଇଁ ଭୁବନେଶ୍ୱରର ଇଡକୋ ଟାୱାରରେ ଏକ ସ୍ୱତନ୍ତ୍ର ଷ୍ଟଲ୍ ସ୍ଥାପନ କରାଯାଇଥିଲା । ଶହ ଶହ ଲୋକ ଷ୍ଟଲ୍ ପରିଦର୍ଶନ କରିଥିଲେ  ।