ଜିନ୍ଦଲ ପକ୍ଷରୁ ‘ୟଶସ୍ୱୀ’ କାର୍ଯ୍ୟକ୍ରମ ଆରମ୍ଭ : ୧୬ ସୁଦ୍ଧା ୱେବସାଇଟ ଜରିଆରେ ଆବେଦନ କରିବେ
ଭୁବନେଶ୍ୱର: ସାମାଜିକ ଅର୍ଥନୈତିକ ଦୁର୍ବଳ ବର୍ଗର ବାଳିକା ଓ ମହିଳାଙ୍କ ସଶକ୍ତୀକରଣ ପାଇଁ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘ୟଶସ୍ୱୀ’ କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ଆରମ୍ଭ ହୋଇଛି । ଏହି ସଂସ୍କରଣରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ର ୫୦୦୦ ମହିଳା ଓ ବାଳିକାଙ୍କୁ ସହାୟତା ଯୋଗାଇ ଦେବାକୁ ଫାଉଣ୍ଡେସନ ଲକ୍ଷ୍ୟ ରଖିଛି । ଏହି ଅଭିଯାନ ମାଧ୍ୟମରେ ମନୋନୀତ ପ୍ରାର୍ଥୀଙ୍କୁ ସେମାନେ ଚୟନ କରିଥିବା ଶିକ୍ଷାନୁଷ୍ଠାନରେ ଧନ୍ଦାମୂଳକ ଶିକ୍ଷା, ଉଚ୍ଚ ଶିକ୍ଷା ଓ ବୃତ୍ତିଗତ ଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଜିନ୍ଦଲ ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ ଜିନ୍ଦଲ କହିଛନ୍ତି, “ଆମେ ବିଶ୍ୱାସ କରୁ ଯେ, ସଶକ୍ତ ମହିଳା ହିଁ ଏକ ବିକଶିତ ସମାଜର ମେରୁଦଣ୍ଡ । ଯେଉଁ ଯୁବତୀମାନେ ସମାଜରେ କିଛି ପରିବର୍ତ୍ତନ ଆଣିବାର ଦକ୍ଷତା ରଖିଛନ୍ତି ଆମେ ‘ୟଶସ୍ୱୀ’ କାର୍ଯ୍ୟକ୍ରମ ଦ୍ୱାରା ସେମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ କାର୍ଯ୍ୟ କରୁଛୁ । ଏହି କାର୍ଯ୍ୟକ୍ରମ ଅଭିଯାନ ଅଧୀନରେ ଶିକ୍ଷା ଓ ଦକ୍ଷତା ତାଲିମ ଦ୍ୱାରା ୧୧ହଜାରରୁ ଅଧିକ ମହିଳା ଓ ବାଳିକାଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିଥିବାରୁ ଆମେ ବହୁତ ଖୁସି । ଚଳିତ ବର୍ଷ ଶିକ୍ଷା ଓ ଦକ୍ଷତା ବିକାଶ ଦ୍ୱାରା ଆମେ ଅଧିକ ମହିଳା ଓ ବାଳିକାଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛୁ” । ଏହି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡର ଯେଉଁ ପ୍ରତିଭାବାନ ବାଳିକା ବା ମହିଳାଙ୍କ ବୟସ ୧୬-୩୦ରୁ ହୋଇଥିବ ଏବଂ ସେମାନଙ୍କ ପାରିବାରିକ ବାର୍ଷିକ ଆୟ ୨ଲକ୍ଷରୁ କମ ହୋଇଥିବ, ସେମାନଙ୍କୁ ଉଚ୍ଚ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଆର୍ଥିକ ସହାୟତା ଯୋଗାଇଦିଆଯିବ । ଆଗ୍ରହୀ ପ୍ରାର୍ଥୀ ଅଗଷ୍ଟ ୧୬ ତାରିଖ ସୁଦ୍ଧା ଆବଶ୍ୟକୀୟ ପ୍ରମାଣପତ୍ର ସହ ୱେବସାଇଟ ଷଗ୍ଧଗ୍ଧକ୍ଟ୍ରଗ୍ଦ://ହସଦ୍ଭୟବକ୍ଷଲକ୍ଟଙ୍କଦ୍ଭୟବଗ୍ଧସକ୍ଟଦ୍ଭ.ମକ୍ଟଜ୍ଞ/ଣବଗ୍ଦଷବଗ୍ଦଙ୍ଖସ ଜରିଆରେ ଆବେଦନ କରିପାରିବେ ।