ଡ୍ରାଇଭର ମହାସଂଘର ରାଜ୍ୟ କୋଷାଧ୍ୟକ୍ଷ ଗିରଫ
ଦେବଗଡ : ଓଡିଶା ଡ୍ରାଇଭର ମହାସଂଘର ରାଜ୍ୟ କୋଷାଧ୍ୟକ୍ଷ ତଥା ଦେବଗଡ ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘର ସଭାପତି ଆଦିତ୍ୟ ପ୍ରସାଦ ବେହେରାଙ୍କୁ ପୁଲିସ ଗିରଫ କରିଛି । ଦେବଗଡ଼ ନୂତନ ବସଷ୍ଟାଣ୍ଡରେ ଥିବା ଜିଲ୍ଲା ଡ୍ରାଇଭର ମହାସଂଘ କାର୍ଯ୍ୟାଳୟରୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଗିରଫ କରିଛି । ପୁଇଁତଳା ଥାନା ଭଇଁସାପାଲି ନିକଟରେ ମିନି ଟ୍ରକ ଚାଳକ ଭାଲେର ଗ୍ରାମର ମନୋଜ ବଗର୍ତି ମିନି ଟ୍ରକ ନେଇ ଯାଉଥିବା ବେଳେ ୩୦ ରୁ ୪୦ ଜଣ ଡ୍ରାଇଭର ତାଙ୍କୁ ଅଟକାଇ ମାଡ ମାରିଥିବା ନେଇ ପୁଇଁତଳା ଥାନାରେ ଅଭିଯୋଗ ହୋଇଥିଲା ।ଏହି ଘଟଣାରେ ସ୍ଥାନୀୟ କିଛି ଡ୍ରାଇଭରକୁ ପୂର୍ବରୁ ପୁଲିସ ଗିରଫ କରିଥିବାବେଳେ ଗତକାଲି ବିଳମ୍ବିତ ରାତିରେ ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟଙ୍କୁ ଗିରଫ କରିଛି ପୁଲିସ । ସାରା ରାଜ୍ୟରେ ଆଜି ପଂଚମ ଦିନରେ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି ରହିଛି । ଅନ୍ୟପଟେ ଗତକାଲି ବିଳମ୍ବିତ ରାତି ୨ ଟା ସମୟରେ ପୁଲିସ ପୋଷାକ ପିନ୍ଧି କେତେଜଣ ଆସି ଆଦିତ୍ୟ ପ୍ରସାଦ ବେହେରାଙ୍କୁ ଗିରଫ କରିଥିଲେ । ଆଦିତ୍ୟଙ୍କ ଦେହ ଅସୁସ୍ଥ ଅଛି । ସେ ଔଷଧ ଖାଉଥିଲେ ।ମାତ୍ର ରାତି ଅଧିଆ ତାଙ୍କୁ ଗିରଫ କରାଯାଇଥିବାବେଳେ ଡ୍ରାଇଭର ମହାସଂଘ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଛି ମାତ୍ର ତାଙ୍କୁ କାହଁକି ଗିରଫ କରାଯାଉଛି ବୋଲି ଦେବଗଡ ଜିଲ୍ଲା ଡ୍ରାଇଭର ମହାସଂଘର ସମ୍ପାଦକ ରଞ୍ଜିତ ପ୍ରଧାନ ଅଭିଯୋଗ କରିଛନ୍ତି ।ଏହାସହିତ ଶ୍ରୀ ବେହେରାଙ୍କୁ ଅପହରଣ କରାଯାଇଥିବା ନେଇ ସଂଘ ପକ୍ଷରୁ ଆଜି ଦେବଗଡ ଥାନାରେ ଅଭିଯୋଗ କରାଯାଇଛି ।