ଚିନ୍ତାରେ ସିପି ଡ଼ିସିପି! କଲବଲ କଲେଣି ଜେଲ ଫେରନ୍ତା ଲୁଟେରା ଗ୍ୟାଙ୍ଗ୍

ଚିନ୍ତାରେ ସିପି ଡ଼ିସିପି! କଲବଲ କଲେଣି ଜେଲ ଫେରନ୍ତା ଲୁଟେରା ଗ୍ୟାଙ୍ଗ୍

ଡଙ୍ଗା ଭସାବେଳେ ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ
ଭୁବନେଶ୍ୱର, ୧୫ା୧୧ :ଟୁଇନ୍ସିଟିରେ ସିପି ଡ଼ିସିପି ବଦଳିଲେ ବଦଳୁଛି ନିୟମ । ନିୟମ ସବୁ ଖାତା କଲମରେ ଛପି ଯାଉଥିବା ବେଳେ, ଯିଏ ଆସିଲା ତା ହିସାବରେ ଯୋଜନା ତିଆରି କଲେ । ଯାହା ଦ୍ୱାରା ପୂର୍ବରୁ କରାଯାଇଥିବା କମିଶନରେଟ୍ ପୁଲିସର ସବୁ ଯୋଜନା ଖାତା କଲମରେ ନିମିତ । କାରଣ ପୂର୍ବରୁ ପୂର୍ବ ସିପି ଡ଼ିସିପିମାନେ ବହୁ ଯୋଜନା କରିଛନ୍ତି, ହେଲେ ଏବେ ସେ ସବୁ ଯୋଜନା କାମରେ ନୁହଁ । ଅପରାଧ ଦମନ ଓ ସାଧାରଣ ଜନତାଙ୍କ ଉତ୍ତମ ସେବା ପାଇବା ପାଇଁ ବିଭିନ୍ନ ଥାନାକୁ କମିଶନରେଟ୍ ପୁଲିସ ପକ୍ଷରୁ ସିୟୁଜି ନମ୍ବର ପ୍ରଦାନ କରାଯାଇଥିଲା । ଯାହାଦ୍ୱାରା ଲୋକେ ସେହି ନମ୍ବରକୁ କଲ କରି ସିଧାସଳଖ ଥାନା ଅଧିକାରୀଙ୍କ ସହ କଥା ହୋଇ ନିଜର ଅସୁବିଧା କିମ୍ବା କୌଣସି ଅପରାଧ ଘଟୁଥିଲେ ସୂଚନା ଦେଇପାରିବେ । କିନ୍ତୁ ଏବେ ସିୟୁଜି ନମ୍ବର ସବୁ ଖତ ଖାଇବା ସହ କିଛି ସିୟୁଜି ନମ୍ବର କିଛି ଥାନା ଅଧିକାରୀଙ୍କ ଘର ଲୋକେ ଧରିଲେଣି । ତାହାସହ ବିଭିନ୍ନ ଥାନାର ଲ୍ୟାଣ୍ଡ ଫୋନ୍ ସବୁ ଅଚଳ ହୋଇପଡ଼ିଛି । ଯାହାଫଳରେ ଜଣେ ସାଧାରଣ ଜନତା ଅସୁବିଧାର ସମୁଖିନ ହେଲେ ସେ ପୁଲିସକୁ କଲ କରିପାରିବ ନାହିଁ । ଏକମାତ୍ର ସାହା ୧୧୨ କଣ୍ଟୋଲରୁମ ସେବା । ସେଠିକି କଲ ଗଲେ ସେମାନେ ଥାନାକୁ ଓ ପିସିଆର ଭ୍ୟାନକୁ ଖବର ଦେବେ । ଏଭଳି କମିଶନରେଟ୍ ପୁଲିସର ବହୁ ଯୋଜନା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଏପଟେ ରାଜଧାନୀରେ ଛାଇ ଗଲେଣି ଅପରାଧୀ ଓ ଲୁଟେରା ଗ୍ୟାଙ୍ଗ୍ । ପ୍ରତେକ ଦିନ ଲୁଟ୍, ଛିନତାଇ, ହଣାକଟା, ଗ୍ୟାଙ୍ଗ୍ୱାର୍କ, ଭାଇଗିରି, ଦାଦାବଟି, ଅସଦାଚରଣ, କୁକର୍ମ, ଠକେଇ ଭଳି ଅପରାଧ ଦେଖିବାକୁ ମିଳୁଛି । ଶେଷରେ ଅପରାଧୀ ମାନେ ପୁଲିସକୁ ଖାତିରି ନ କରି ପୁଲିସକୁ ହାଣିଲେଣି । ଏଭଳି ଦିନକୁ ଦିନ ଆଇନ ଶୃଙ୍ଖଳା ବିଗୁଡ଼ିଥିବା ବେଳେ, ନୂତନ ଭାବେ ଟୁଇନ୍ସିଟିରେ ପୁଲିସ କମିଶନର ଓ ଭୁବନେଶ୍ୱରକୁ ନୂଆଁ ଡ଼ିସିପି ଯୋଗ ଦେଇଛନ୍ତି । ଏମାନଙ୍କ ପାଇଁ ପାର୍ବଣ ରୁତୁ, ଅପରାଧ ଦମନ, ମହିଳା ସୁରକ୍ଷା, ସାଇବର ଠକେଇ ଏକ ଚ୍ୟାଲେଞ୍ଜ ରହିଛି । କିନ୍ତୁ ଏବେ ଅପରାଧ କମିବା ତ ଦୁରର କଥା ରାଜଧାନୀରେ ଲୋକଙ୍କୁ କଲବଲ କଲେଣି ଜେଲ ଫେରନ୍ତା ଲୁଟେରା ଗ୍ୟାଙ୍ଗ୍ । ଦିନ ହଉ କି ସନ୍ଧ୍ୟା କିମ୍ବା  ରାତି ଖୁଲମଖୁଲା ପୁଲିସକୁ ଚ୍ୟାଲେଞ୍ଜ୍ ଦେଇ କରୁଛନ୍ତି ଛିନତାଇ, ଲୁଟ୍, ଡକାୟତି । ଲୁଟେରାଙ୍କ ଶିକାରରେ ଚାଲିଯାଉଛି ଜୀବନ । ଯାହାକୁ ନେଇ ଚିନ୍ତାରେ ରାଜଧାନୀବାସୀ । ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଉଥିବା ବେଳେ ଲୁଟେରାଙ୍କ ଟେର ପାଇପାରୁନାହିଁ । ଅନ୍ୟଦିନ ଭଳି ଏୟାରଫିଲ୍ଡ ଅଞ୍ଚଳରେ ଗତ ୪ ଦିନ ତଳେ ଜଣେ ମହିଳା ଚେନ୍ ଲୁଟେରାଙ୍କ ଶିକାର ହୋଇ ଗତକାଲି ମୃତୁବରଣ କରିଥିବା ବେଳେ, ପୁଣି ଆଜି ଭୋର ସମୟରେ ଡଙ୍ଗା ଭସାଇବାକୁ ଯାଇଥିବା ଜଣେ ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ସୁନାଚେନ୍ । କାର୍ତ୍ତିକ ପୂର୍ଣ୍ଣିମାରେ ନୟାପଲ୍ଲୀ ବେହେରାସାହି ଶିବ ମନ୍ଦିରରୁ ଲୁଟର ଖବର ସାମ୍ନାକୁ ଆସିଛି ।
 ସୂଚନା ଯୋଗ୍ୟଯେ, ଆଜି ସକାଳୁ ଏନ-୫ ଅଞ୍ଚଳର ଲକ୍ଷ୍ମୀପ୍ରିୟା ପତି ଡଙ୍ଗା ଭସାଇ ମନ୍ଦିରକୁ ଯାଇ ଦର୍ଶନ କରିବାକୁ ଧାଡିରେ ଛିଡାହୋଇଥିବା ସମୟରେ ଲୁଟର ଶିକାର ହୋଇଛନ୍ତି  । କେହି ଦୁର୍ବୃତ୍ତ ବୃଦ୍ଧାଙ୍କ ବେକରୁ ସୁନାଚେନ୍ ଝାମ୍ପି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ, ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ଏନେଇ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି  ପୁଲିସ ।