ରସୁଲପୁର ପଞ୍ଚାୟତ ସମିତି ଅଧିବେଶନ... ଏକାଠି କାମ କରିବାକୁ ଶାସକ ଓ ବିରୋଧୀଙ୍କ ନିଷ୍ପତି
କୁଆଖିଆ : ରସୁଲପୁର ବ୍ଲକର ୯ମ ପଞ୍ଚାୟତ ସମିତି ବୈଠକ ବ୍ଲକ୍ ଅଧ୍ୟକ୍ଷ ଅରୁଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଅଧିବେଶନରେ ଯାଜପୁର ସାଂସଦ ରବୀନ୍ଦ୍ରନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖରସାହୁ ଯୋଗଦେଇ ୨୦୨୪-୨୫ ଏବଂ ୨୦୨୫-୨୬ ପାଇଁ ହେବାକୁଥିବା ବିଭିନ୍ନ ପ୍ରକଳ୍ପର ଅନୁମୋଦନ ଓ ଖର୍ଚ୍ଚଦାବି ଆଲୋଚନା କରିଥିଲେ । ଆଲୋଚନା କ୍ରମରେ ୨୦୨୪-୨୫ର ଅନୁଦାନ ପ୍ରକଳ୍ପ ଗୁଡିକ ବିଭିନ୍ନ ସମସ୍ୟା ନେଇ ଅଗ୍ରଗତି ନଥିବା ଏବଂ ଗ୍ରାମସଭା ଜରିଆରେ ଆସିଥିବା ଅନେକ ପ୍ରକଳ୍ପର ଲିଷ୍ଟ୍ ନଥିବା ବେଳେ, ୨୦୨୫-୨୬ ଅନୁଦାନ ପ୍ରକଳ୍ପ ଗୁଡ଼ିକ କିପରି ହେବ ସେ ନେଇ ପଞ୍ଚାୟତ ପ୍ରତିନିଧି ପ୍ରଶ୍ନ କରିଥିଲେ । ପାନୀୟ ଜଳଯୋଗାଣ, ଆଲୋକୀକରଣ, ଏସ୍ଏସିଏସ୍ଟି ଗ୍ରାମକୁ ରାସ୍ତା, ଲାଇଟ୍, ଡ୍ରେନେଜ୍,ଏବଂ କମୁ୍ୟନିଟି ସେଣ୍ଟର ଆଦିର ଅଗ୍ରଗତି ନେଇ ସାଂସଦ ଡ. ବେହେରା ପ୍ରଶ୍ନ କରିଥିବା ବେଳେ, କୌଣସି ସନ୍ତୋଷ ଜନକ ଉତ୍ତର ପାଇ ପାରି ନଥିଲେ ।
ସେହିପରି ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଘରଡିହ ଯୋଗାଇଦେବା ସମ୍ପର୍କରେ ତୁରନ୍ତ ଜମି ଚିହ୍ନଟ କରି ସେମାନଙ୍କୁ ପଟ୍ଟା ଦେବାପାଇଁ ବିଧାୟକ ଶ୍ରୀ ସାହୁ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏଥିସହିତ ଏଣିକି ପ୍ରତ୍ୟେକ ପଞ୍ଚାୟତକୁ ଯାଇ ସେଠାରେ ଲୋକଙ୍କ ସମସ୍ୟାର ତଦନ୍ତ କରି ଶୁଣାଣି କରିବାକୁ ପରାମର୍ଶ ଦେବାସହିତ ବ୍ଲକରେ ପୂର୍ବରୁ ପଡି ରହିଥିବା ବକେୟା କାମକୁ ଯଥାଶୀଘ୍ର ସାରିବା ପାଇଁ ସରପଞ୍ଚ, ସମିତିସଭ୍ୟ ଏବଂ ବ୍ଲକ ଅଧିକାରୀଙ୍କ ଏକ ବୈଠକ ଡାକି ଏହାର ଆପୋଷ ସମାଧାନ କରି ଉନ୍ନୟନ ପ୍ରକଳ୍ପକୁ ଆଗେଇ ନେବାପାଇଁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଓଡିଶୋ ପଞ୍ଚାୟତ ସମିତିସଭ୍ୟ କାଳି ପ୍ରସନ୍ନ ସାମଲଙ୍କ ପଞ୍ଚାୟତର ପାଇଖାନା ବିଲ୍, ମଧୁବନ ମେଡିକାଲରେ ବିଭାଗୀୟ କର୍ମଚାରୀଙ୍କ ଅଭାବ, ରେସନକାର୍ଡ, ବରିଷ୍ଠ ନାଗରିକଙ୍କ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପ୍ରଭୃତି କାର୍ଯ୍ୟକାରିତାରେ ଅବହେଳା ନେଇ ଜାଣିବାକୁ ଚାହିଁ ସନ୍ତୋଷ ଜନକ ଉତ୍ତର ପାଇ ପାରି ନଥିଲେ । ଏଥିସହିତ ସମିତି ବୈଠକରେ କେତେକ ସରପଞ୍ଚ ଉପସ୍ଥିତ ନଥିବା ବେଳେ, ସେମାନଙ୍କ ପ୍ରତିନିଧି ଆଲୋଚନାରେ ଅଂଶଗହଣ କରିବାକୁ ନେଇ ସଭାଗୃହରେ ଏକ ଚାପା ଗୁଂଜରଣ ଶୁଣିବାକୁ ମିଳିଥିଲା । କୋରେଇ ବିଧାୟକ, ବରୀ ବିଧାୟକଙ୍କ ଅନୁପସ୍ଥିତି ଏକ ରୋଚକପୂର୍ଣ୍ଣ ଆଲୋଚନା ଶୁଣିବାକୁ ମିଳିଥିଲା । ଅଧିବେଶନରେ ବିଧାୟକ ପ୍ରତିନିଧି ପ୍ରହଲ୍ଲାଦ ପଣ୍ଡା, ଉପାଧ୍ୟକ୍ଷା ଜୟନ୍ତୀ ଦାଶ, ତହସିଲଦାର ସିଦ୍ଧାର୍ଥ କୁମାର ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ଶେଷରେ ବିଡ଼ିଓ ସତ୍ୟାନନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।