ତାଳଚେର ମେଡ଼ିକାଲ ପାଇଁ ଆସୋସିଏଟେଡ୍ ପ୍ରଫେସର୍ ନିଯୁକ୍ତି
ତାଳଚେର: ରାଜ୍ୟ ସରକାର ଦୁଇଟି ମେଡ଼ିକାଲ କଲେଜ ପାଇଁ ୧୩ଜଣ ଆସୋସିଏଟେଡ୍ ପ୍ରଫେସରଙ୍କୁ ଅସ୍ଥାୟୀ ଡେପୁଟେସନ୍ରେ ନିଯୁକ୍ତି ଦେଇଛନ୍ତି । ଫୁଲବାଣୀ ମେଡ଼ିକାଲ କଲେଜ ପାଇଁ ୮ଜଣ ଓ ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ପାଇଁ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟ ଡ଼ାକ୍ତରୀ ଶିକ୍ଷା ଓ ତାଲିମ ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏସମ୍ପର୍କିତ ଏକ ନିଦେ୍ର୍ଦଶ ଜାରି କରିଥିବା ଜଣାପଡ଼ିଛି । ତାଳଚେର ଓ ଫୁଲବାଣୀ ମେଡ଼ିକାଲ କଲେଜ ପାଇଁ ୨୦୨୫-୨୬ବର୍ଷରେ ପାଠ ପଢ଼ା ଆରମ୍ଭ ନେଇ କୁହାଯାଇଥିଲା । ଏଥିପାଇଁ ଗତବର୍ଷ ଡ଼ିସେମ୍ବରରେ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଉଭୟ କଲେଜ ପାଇଁ ଅଧ୍ୟକ୍ଷ ଓ ଅଧିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ତାଳଚେର ମେଡ଼ିକାଲ କଲେଜକୁ ଡ଼ା ଲକ୍ଷ୍ମୀନାରାୟଣ ଦାସ, ଡ଼ା ଅଭିଜିତ୍ ସ୍ୱାଇଁ, ଡ଼ା ଅସିତ୍ ମଲ୍ଲୀକ, ଡ଼ା ରୁପାମୁଦ୍ରା ଦାସ ଡ଼େପୁୁଟେସନରେ ଯାଇଥିବାବେଳେ ଡ଼ା ଲିପିିକା ପଣ୍ଡାକୁ ଅସ୍ଥାୟୀ ନିଯୁକ୍ତି ଦିଆଯାଇଛି । ଜାତୀୟ ମେଡ଼ିକାଲ କମିଶନ୍ (ଏଏନଏମସି)ର ନିଦେ୍ର୍ଦଶାବଳୀକୁ ପୂରଣ କରିବା ପାଇଁ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଆସୋସିଏଟେଡ଼ରେ ନିଯୁକ୍ତି ଦିଆଯାଇଥିବା କୁହାଯାଇଛି । ଏହାକୁ ପଦୋନ୍ନତି ଭାବେ ବିଚେଚିତ କରାଯିବ ନାହିଁ । ସେହିପରି ସ୍ଥାୟୀ ନିଯୁକ୍ତି ପାଇଥିବା ଡ଼ାକ୍ତରକୁ ମାସିକ ୨ଲକ୍ଷ ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ କରାଯିବ । ଭଲ ପ୍ରଦର୍ଶନ କିମ୍ବା ଏହି ପଦବୀରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପର୍ଯ୍ୟନ୍ତ କାମ କରିବେ ବୋଲି ନିଦେ୍ର୍ଦଶନାମାରେ ଉଲ୍ଲେଖ ରହିଛି । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଏବେ ସମୁଦାୟ ୧୩ଟି ପିଜି ଓ ମେଡ଼ିକାଲ କଲେଜ ରହିଛି । ଏଥିରେ ୮୩ ପ୍ରଫେସର୍, ୧୮୫ ଆସୋସିଏଟ୍ ପ୍ରଫେସର, ୧୪୫ ଡ଼ାକ୍ତର, ୬୮ ଟୁ୍ୟଟର୍, ୪୨୯ ସିନିଅର୍ ରେସିଡ଼େଂଟ୍ ଓ ୬୦ଜଣ ଜୁନିଅର ପଦବୀ ଖାଲି ରହିଥିବା ନେଇ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ୍ ପ୍ରକାଶ କରିଛନ୍ତି ।