ତିନି ଥାନା ଜାଲରେ ୪ ଲୁଟେରା ; ୮ ମୋବାଇଲ ଜବତ


ଭୁବନେଶ୍ୱର, ୧୫ା୪ : କମିଶନରେଟ୍ ପୁଲିସର ୩ଟି ଥାନା ଜାଲରେ ୪ ଜଣ ମୋବାଇଲ ଲୁଟେରା । ସେମାନଙ୍କ ଠାରୁ ୮ଟି ମୋବାଇଲ ଜବତ କରାଯାଇଛି । ଏହି ୪ ଜଣ ଲୁଟେରାଙ୍କ ମଧ୍ୟରୁ କ୍ୟାପିଟାଲ ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ରୋଗିଙ୍କ ମୋବାଇଲ ଚୋରୀ କରିଥିବା ଅଭିଯୋଗରେ ଜଣେ ଶ୍ୟାମ ନାୟକ ନାମକ ଲୁଟେରାକୁ ଗିରଫ କରିଛି । ତାଠାରୁ ଏକ ମୋବାଇଲ ଜବତ କରାଯାଇଛି । ସେହିଭଳି ମୈତ୍ରୀବିହାର ଥାନା ପୁଲିସ ମଧ୍ୟ ୨ ଜଣ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ଟି ମୋବାଇଲ ଜବତ କରାଯାଇଛି । ଗିରଫ  ୨ ଅଭିଯୁକ୍ତ ହେଲେ, ଗାଡକଣ ଅଞ୍ଚଳର ସୁରଜ ପଟ୍ଟନାୟକ ଓ ଆଚାର୍ଯ୍ୟବିହାର ଅଞ୍ଚଳର ସୌରଭ ଟୁଡୁ । ସେହିଭଳି ଏୟାରଫିଲ୍ଡ ଥାନା ପୁଲିସ ମଧ୍ୟ ଜଣେ ଲୁଟେରାକୁ ଗିରଫ କରିବା ସହ ତାଠାରୁ ୪ଟି ମୋବାଇଲ ଫୋନ୍ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା, ଝାରଖଣ୍ଡ ରାଜ୍ୟର ରାଜକୁମାର ମାହାତୋ । ସୋମବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
  ସୂଚନାଯୋଗ୍ୟ ଯେ, ଏୟାରଫିଲ୍ଡ ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତ ସୁନ୍ଦରପଦା ହାଟରେ ପରିବା କିଣୁଥିବା ଜଣେ ଲୋକଙ୍କ ଠାରୁ ମୋବାଇଲ ଝାମ୍ପିନେଇ ଫେରାର ହୋଇଯାଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଲୁଟେରାକୁ ଗିରଫ କରିବା ସହ ତାଠାରୁ ୪ଟି ମୋବାଇଲ ଜବତ କରାଯାଇଛି । କ୍ୟାପିଟାଲ ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତ ରାତିରେ କ୍ୟାପିଟାଲ ହସ୍ପିଟାଲରେ ପଶି ଜଣେ ରୋଗିଙ୍କ ମୋବାଇଲ ଚୋରୀ କରି ଫେରାର ହୋଇଯାଇଥିଲା । ଏନେଇ ସକାଳୁ ଅଭିଯୋଗକାରୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଲୁଟେରାକୁ ସିସିଟିଭି କ୍ୟାମେରାରୁ ଚିହ୍ନଟ କରି ଆଜି ଗିରଫ କରିଛି ଓ ତାଠାରୁ ଏକ ମୋବାଇଲ ଜବତ କରାଯାଇଛି । ସେହିଭଳି ମୈତ୍ରୀବିହାର ଥାନା ପୁଲିସ ଗିରଫ କରିଥିବା ୨ ଅଭିଯୁକ୍ତ ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ମୋବାଇଲ ଝାମ୍ପିନେଉଥିବା ଅଭିଯୋଗରେ ପୁଲିସ ଆଜି ୨ ଲୁଟେରାଙ୍କୁ ଗିରଫ କରି ସେମାନଙ୍କ ଠାରୁ ୩ଟି ମୋବାଇଲ ଜବତ କରିଛି ।