ତୀର୍ଥ ପୁରୋହିତଙ୍କର ବିକାଶ ଆବଶ୍ୟକ

 ପୁରୀ: ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭା ଆନୁକୂଲ୍ୟରେ ସର୍ବଭାରତୀୟ ତୀର୍ଥ ପୁରୋହିତମାନଙ୍କୁ ନେଇ ୨ଦିନିଆ କାର୍ଯ୍ୟକାରିଣୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ବଡ଼ଦାଣ୍ଡସ୍ଥିତ ଗୁରୁ ଇଷ୍ଟେଟ ସଭାଗୃହରେ ଅନୁଷ୍ଠିତ  ବୈଠକରେ ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦାନ କରିଥିଲେ । ଆବାହକ ରବିନାରାୟଣ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀକୁ ଜାତୀୟ ସ୍ତରରେ ସର୍ବୋକôୃଷ୍ଟ ତୀର୍ଥକ୍ଷେତ୍ରର ଆଖ୍ୟା ଦେବା ଉଦେ୍ଦଶ୍ୟରେ ବିକାଶ କାର୍ଯ୍ୟ ଆଗେଇ ଚାଲିଛି ବୋଲି ପ୍ରକାଶ କରିବା ସହିତ ଯାତ୍ରୀମାନଙ୍କୁ ସେବା ଯୋଗାଇ ଦେବା ପାଇଁ ତୀର୍ଥ ପୁରୋହିତମାନଙ୍କର ବିକାଶ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଅତିଥି ଦେବୋ ଭବ ନ୍ୟାୟରେ ବାହାରୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କୁ ପୁରୋହିତ ବା ପଣ୍ଡାମାନେ ସମସ୍ତ ପ୍ରକାର ସେବା ଯୋଗାଇ ଦେଲେ ସେମାନେ ସଂପୃକ୍ତ ଆଧ୍ୟାତ୍ମିକ କ୍ଷେତ୍ର ପ୍ରତି ଉତ୍ତମ ମନୋଭାବ ନେଇ ଫେରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ପୁରୀ, ହରିଦ୍ୱାର, ଦ୍ୱାରକା, ରାମେଶ୍ୱରମ୍, ସୋମନାଥ, ବେଲୁର, ନାସିକ, ଭୀମାଶଙ୍କର, ଉଜ୍ଜୟିନୀ, ଯମୁନେତ୍ରୀ, ଆସାମ, କୁରୁକ୍ଷେତ୍ର, କାଶୀ, ଅଯୋଧ୍ୟା ପ୍ରଭୃତି ଭାରତ ବର୍ଷର ଶତାଧିକ ତୀର୍ଥ ସ୍ଥାନରୁ ତୀର୍ଥ ପୁରୋହିତ ଓ ପ୍ରତିନିଧିମାନେ ଯୋଗଦାନ କରିଛନ୍ତି ।  ତୀର୍ଥ ପୁରୋହିତମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଆବାହକ ସତ୍ୟନାରାୟଣ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକ ପୂର୍ବରୁ ତୀର୍ଥ ପୁରୋହିତମାନେ ଏକ ଶୋଭାଯାତ୍ରାରେ ଯାଇ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଥିଲେ ।