ମାତିଲେ ହାତୀପଲ, ନଷ୍ଟ କଲେ ଫସଲ
ବୈଶିଙ୍ଗା: ବେତନଟୀ ରେଞ୍ଜ ଅଧୀନରେ ଏକ ମାସରୁ ଉର୍ଦ୍ଧ୍ୱ ହେବ ଝାଡଖଣ୍ଡୀ ହାତୀପଲଙ୍କର ପ୍ରାଦୁର୍ଭାବ ବଢି ଚାଲିଥିବା ବେଳେ ଏଥି ନେଇ ଚାଷୀକୂଳ ବ୍ୟାପକ କ୍ଷତି ସହୁଥିବାର ପରିଲକ୍ଷିତ ହୋଇଛି । ବେତନଟୀ ରେଞ୍ଜ ଅଧୀନର ବିଭିନ୍ନ ଜଙ୍ଗଲରେ ଝାଡଖଣ୍ଡୀ ଦନ୍ତା ହାତୀ ରହୁଥିବା ବେଳେ ଦିନ ସମୟରେ ଜଙ୍ଗଲ ମଧ୍ୟରେ ରହୁଥିବାବେଳେ ସନ୍ଧ୍ୟା ସମୟ ପାଖରୁ ସେମାନେ ପାଚିଲା ଧାନ ଫସଲକୁ ଦଳି ଚକଟି ନଷ୍ଟ କରିବା ସହ ଧନଜୀବନ ପ୍ରଭାବିତ ହେଉଛି । ରେଞ୍ଜ ଅଧୀନ ବୈଶିଙ୍ଗା ଥାନା ଅଧୀନ ଦଲକି ଏବଂ ଫୁଲଝରି ଜଙ୍ଗଲରେ ୧୫ଟି ହାତୀ ଥିବା ବେଳେ ମମତାପାଳ ପାଖ ଜଙ୍ଗଲରେ ୪୦ଟି ହାତୀ ରହିଥିବା ନେଇ ସୂଚନା ମିଳିଛି । ହାତୀମାନେ ଅମଳ ହେବାକୁ ଥିବା ଧାନଚାଷକୁ ନଷ୍ଟ କରୁଥିବା ବେଳେ ଏହି ହାତୀ ପ୍ରଭାବିତ ଅଞ୍ଚଳ ମାନଙ୍କରେ ଚାଷୀ ମାନେ ଯଥା ଶୀଘ୍ର ଧାନକୁ ସଂଗ୍ରହ କରି ସୁରକ୍ଷିତ ଯାଗାକୁ ନେଇ ଯାଉଥିବାର ପରିଲକ୍ଷିତ ହୋଇଛି । ଶନିବାର ଫୁଲଝରି ଗ୍ରାମର ଚାଷୀ ଧାନ ପିଟି ବୁରା କରୁଥିବା ସମୟରେ ସନ୍ଧ୍ୟା ହୋଇ ଆସିଥିବାରୁ ଏକାଧିକ ହାତୀ ଏକା ସଙ୍ଗରେ ତାଙ୍କ ଆଡ଼କୁ ମାଡି ଆସିଥିଲେ । ଏହା ଦେଖି ତରବର ଭାବେ ସେମାନେ ସମସ୍ତ ଅମଳ ହୋଇ ସାରିଥିବା ଧାନ ଭର୍ତ୍ତି ବୁରାକୁ କୁଟା ଦ୍ୱାରା ଢାଙ୍କି ଦେଇ ଜୀବନ ବିକଳରେ ଦୌଡି ପଳାଇଥିଲେ । ସକାଳ ସମୟରେ ବିଲକୁ ଯାଇ ଦେଖିବା ବେଳକୁ ୨୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଧାନ ବୁରାକୁ ଚିରି ଧାନ ନଷ୍ଟ କରିଦେଇଥିଲେ । ବର୍ଷକର ଅମଳ କରିସାରିଥିବା ଧାନକୁ ନଷ୍ଟ ହୋଇ ଥିବାର ଦେଖି ଦୁଇ ବାପ ପୁଅ ଦୁଃଖରେ ଭାଙ୍ଗି ପଡିବା ସହ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ହାତୀ ମାନଙ୍କର ପ୍ରାଦୁର୍ଭାବ ବଢି ଚାଲିଥିବା ବେଳେ ବନବିଭାଗ ସେମାନଙ୍କର ଗତିପଥ ଉପରେ ନଜର ରଖିଛି । ପ୍ରତ୍ୟେକ ବର୍ଷ ଏହି ପ୍ରକ୍ରିୟା ଚାଲିଥିବା ବେଳେ ବାଜିରେ ଲାଗୁଛି ଲୋକଙ୍କର ଧନଜୀବନ । ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେବା ସହ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।