ତୃତୀୟ ଦିନରେ ବି ଗଡିଲାନି ବ୍ରହ୍ମ ତାଳଧ୍ୱଜ

 କେନ୍ଦ୍ରାପଡା : ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ସର୍ବବୃହତ୍ ବ୍ରହ୍ମତାଳଧ୍ୱଜ ରଥ ଶ୍ରୀ ଗୁଣ୍ଡିଚାର ତୃତୀୟ ଦିନରେ ମଧ୍ୟ ବାମ ମୋଡ ନେଇ ନୂଆ ଚନ୍ଦନ ପେଖରୀ ନିକଟରେ ଅଟକି ରହିଲା । ପରମ୍ପରା ଅନୁଯାୟୀ ଶ୍ରୀଗୁଣ୍ଡିଚାର ଦ୍ୱିତୀୟ ଦିନରେ ରଥ ଟଣା ହୋଇ ମାଉସୀ ମା ମନ୍ଦିର ନିକଟରେ ଚକଡାରେ ଲାଗିବା ନିଷ୍ପତି ନିଆଯାଇଥିଲା । ତୁହାକୁ ତୁହା ପରିଚାଳନା ସମିତି ଓ ସେବକ ମାନଙ୍କ ସମନ୍ୱୟ ବୈଠକ ସତ୍ୱେ ରଥ ଚାଲିବା ସମ୍ଭବ ହୋଇପାରିଲା ନାହିଁ । ଆଜି ଦିନ ୧୨ଟା ସମୟରେ ରଥ ଟଣା ଆରମ୍ଭ ହୋଇ କିଛିବାଟ ଯିବାପରେ ବାମମୋଡ ନେବାରୁ ରଥ ପୁରୁଣା ଚନ୍ଦନ ପୋଖରୀ ନିକଟରେ ଅଟକି ରହିଲା । ଆଜି ଦିନକ ମଧ୍ୟରେ  ରଥ ପ୍ରାୟ ତିନିଥର ମୋଡ ନେବାରୁ ବାରମ୍ବାର ଅଟକିବା ସହ ରଥଟଣାରେ ବିଭ୍ରାଟ ଦେଖାଦେଲା । ପୂର୍ବରୁ ରଖାଯାଇଥିବା ରେଲୱେ ଟ୍ରାକ୍ ସାହାର୍ଯ୍ୟରେ ରଥକୁ ସଳଖ କରାଯାଇଥିଲା । ଅପରାହ୍ନରେ ବର୍ଷା ଛାଡିଯାଇ ପାଗ ଅନୁକୂଳ ଥିବାବେଳେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀ ବଳଦେବଜୀଉଙ୍କ ରଥ ଟାଣିବା ପାଇଁ ରଥଦାଣ୍ଡରେ ରୁଣ୍ଡ ହୋଇଥିଲେ । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇ ଥିଲେ ମଧ୍ୟ ପୂର୍ବ ନିଷ୍ପତି କ୍ରମେ ଆଜି ଦିନ ୧୨ଟାରେ ରଥ ଟାଣିବା ପାଇଁ ନିଷ୍ପତି ହୋଇଥିବ ବେଳେ ବାରମ୍ବାର ରଥ ବାମ ମୋଡ ନେବାରୁ ପୁନର୍ବାର ଦିନ ୪ଟା ବେଳେ ରଥଟଣା ଆରମ୍ଭ ହୋଇଥିଲା । ତେବେ ରଥଦାଣ୍ଡର ମଝିକୁ ନଆସି ବାମ ମୋଡ ନେଇ ପୁଣି ଅଟକି ରହିଥିଲା । ତେବେ ଶ୍ରୀ ଗୁଣ୍ଡିଚାର ପଞ୍ଚମ ଦିନରେ ହେରା ପଞ୍ଚମୀ ପ୍ରଥା ପାଳନ କରାଯିବାକୁ ଥିବାବେଳେ ଦିଅଁମାନେ ରଥ ଉପରେ ରହିଛନ୍ତି । ପ୍ରଥା ଅନୁଯାଇ ଦିଅଁମାନେ ରଥରୁ ଅବତରଣ କରି ଆଡପ ମଣ୍ଡପରେ ବିଜେ ହେବାପରେ ପଞ୍ଚମ ଦିନରେ ମହାଲକ୍ଷ୍ମୀ ରଥଭଙ୍ଗା ନିତି ପାଳନ କରାଯାଇ ଥାଏ । ତେବେ ଆସନ୍ତା କାଲି ରଥ ଟଣା ହେବାକୁ ଥିବାବେଳେ ଯଦି ପୁଣି ବାମ ମୋଡ ନେଇ ଅଟକି ରହିଲା ତେବେ ଏହି ନୀତି କିପରି ପାଳନ କରାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ଦିନରେ ରଥ ଲାଗିବା ଅସମ୍ଭବ ହେଉଥିଲେ ମଧ୍ୟ ପୁଣି ପହଣ୍ଡି ବିଜେ ନୀତି ପାଳନ କରାଯିବା ଅସମ୍ଭବ ଜଣାପଡୁଛି । ଜିଲ୍ଲା ପ୍ରଶାସନ ମନ୍ଦିର ପ୍ରଶାସନ ଓ ପରିଚାଳନା ସମିତି ତଥା ସେବକ ସମାଜ ମାନେ ଚଳିତ ବର୍ଷର ରଥଯାତ୍ରାକୁ ସୁରୁଖୁରୁ ରେ ପାଳନ କରିପାରି ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ନିଜର ଦୋଷ ଲୁଚାଇବା ପାଇଁ ସବୁକିଛି ବଳଦେବଜୀଉଙ୍କ ଇଛାବୋଲି କହି କେତେକ ଅଧିକାରୀ ଓ ସେବାୟତ ନିଜ ଉପରୁ ଦୋଷ ଛଡାଇ ଠାକୁରଙ୍କୁ ଏକ ପ୍ରକାର ଅସହାୟ କରି ଦେଇଥିବାରୁ ସଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି  ।