ତେଲେଙ୍ଗା ବସ୍ତି ପାଇଁ ଅପବାଦ ମୁଣ୍ଡାଉଛି ରାଜ୍ୟ ପୁଲିସ
ଯାଜପୁର : ଆନ୍ତଃରାଜ୍ୟ ଲୁଟେରାଙ୍କ ପେଣ୍ଠସ୍ଥଳ ପାଲଟିଛି ପୂର୍ବକୋଟର ତେଲେଙ୍ଗା ବସ୍ତି । କେବଳ ଆନ୍ତଃରାଜ୍ୟ ଲୁଟେରାଙ୍କ ବସ୍ତିପାଲଟିନି, ପୁଲିସ ଉପରକୁ ହାତଉଠାଇବା, ତୋଡ୍ ପାଡ୍ କରିବାକୁ ପଛ ଘଞ୍ଚା ଦିଅନ୍ତିନି ଅପରାଧି । ତେଲେଙ୍ଗା ବସ୍ତି ପାଇଁ ରାଜ୍ୟ ପୁଲିସକୁ ଅପବାଦ ମୁଣ୍ଡାଇବାକୁ ପଡ଼ୁଛି । ଏକଥା ଆମେ କହୁନି, ବିଭିନ୍ନ ସମୟରେ ରାଜ୍ୟବାହାରର ପୁଲିସ ବସ୍ତିରେ ଅପରାଧିଙ୍କୁ ଠାବ କରିବାକୁ ଚଢାଉ କରିବା ହିଁ ପ୍ରମାଣିତ କରି ଆସୁଛି । ଏକଥାକୁ ଭଲ ଭାବେ ଜିଲ୍ଲା ଏବଂ ରାଜ୍ୟ ପୁଲିସ ଅବଗତ ଥିଲେ ହେଁ, ସ୍ଥାୟୀ ନିରାକରଣ ଦିଗରେ କିନ୍ତୁ ଠୋସ ପଦକ୍ଷେପ ନିଆଯାଉନି । କାହିଁକି ଏବଂ କ’ଣ ପାଇଁ ତାହା ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାଜପୁର ଜିଲାର କୋରେଇ ଥାନା ଅନ୍ତର୍ଗତ କନ୍ତୋର ପଞ୍ଚାୟତର ପୂର୍ବକୋଟ ତେଲଙ୍ଗା ବସ୍ତି । ଯାହା ଆନ୍ତରାଜ୍ୟ ଲୁଟେରାଙ୍କ ପେଣ୍ଠସ୍ଥଳ ପାଲଟିଛି । ରାଜ୍ୟ ବାହାରେ ଏକାଧିକ ଡକାୟତ କରି ଫେରାର୍ ରହୁଥିବା ଅଭିଯୁକ୍ତ ଏହି ବସ୍ତିରେ ନିରାପଦରେ ବାସ କରୁଛନ୍ତି । ବିଭିନ୍ନ ସମୟରେ ରାଜ୍ୟ ବାହାରର ପୁଲିସ ଅଭିଯୁକ୍ତକୁ ସାଙ୍ଗରେ ଧରି ପୂର୍ବକୋଟରେ ଚଢାଉ କରିବାକୁ ଆସୁଛି । ଜିଲ୍ଲା ପୁଲିସ ସ୍ୱିକୃତି ଆଧାରରେ କୋରେଇ ପୁଲିସ ସହଯୋଗରେ ରାଜ୍ୟ ବାହାରର ପୁଲିସ ପୂର୍ବକୋର୍ଟରେ ରାତି ଅଧିଆ ହେଉ ବା ଦିନ ଦ୍ୱିପ୍ରହରେ ଚଢାଉ କରି ଫେରାର ଡ଼କାୟତଙ୍କୁ ଧରିବାକୁ ଉଦ୍ୟମ କରୁଥିଲେ ହେଁ ବେଳେ ବେଳେ ଫେଲ ମାରି ଫେରିଯିବାକୁ ବାଧ୍ୟ ହେଉଛି ତ ବେଳେ ବେଳେ ଅପରାଧିଙ୍କୁ ଠାବ କରି ହେପାଜତରେ ନିଜ ରାଜ୍ୟକୁ ନେଉଛି । ପୂର୍ବକୋଟ ତେଲେଙ୍ଗା ବସ୍ତି ଯୋଗୁ କୋରେଇ କେବଳ ନୁହଁ ଯାଜପୁର ରାଜ୍ୟ ବାହାରେ ଅପବାଦ ମୁଣ୍ଡାଇବାକୁ ପଡ଼ୁଛି । ଏହିବସ୍ତିରେ ରହୁଥିବା ପେସାଦାର ଡକାୟତ ରାଜ୍ୟ ବାହାରକୁ ଯାଇ ନିୟମିତ ଭାବେ ବିଭିନ୍ନ ସୁନା-ଅଳଙ୍କାର ହେଉ ବା ବଡବଡିଆଙ୍କ ଘରେ କଳାକନା ବୁଲାଇ ଚମ୍ପଟ ମାରୁଛନ୍ତି । ଅଭିଯୋଗ ପରେ ପୁଲିସ ତଦନ୍ତ କରି କରି ପୂର୍ବକୋଟରେ ପହଁଚୁଛନ୍ତି । ଉତ୍ତର ପ୍ରଦେଶ ହେଉ କି ବିାହାର, ରାଜସ୍ଥାନ ହେଉ କି ଆନ୍ଧ୍ରପ୍ରଦେଶ ପୁଲିସ ବସ୍ତିିକୁ ଅନେକବାର ଧାଇଁ ଆସିଛନ୍ତି ଡ଼କାୟତଙ୍କ ସନ୍ଧାନରେ । ସ୍ଥାନୀୟ ପୁଲିସ ସହଯୋଗରେ ବସ୍ତିରେ ଚଢାଉ କରିଥିଲେ ହେଁ ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥାଏ । ଯଦି କୁହାଯିବ ତେବେ ବର୍ଷକରେ ୧୦/୧୨ଥର ରାଜ୍ୟ ବାହାରର ପୁଲିସ ତେଲେଙ୍ଗାବସ୍ତିରେ ଚଢାଉ କରୁଛି । ରାଜ୍ୟ ବାହାର ପୁଲିସ ଏଠାକୁ ଆସୁଥିବାର ଖବର ପାଇ ଫେରାର ଅଭିଯୁକ୍ତ ଆତ୍ମଗୋପନ କରିବାରେ ସକ୍ଷମ ହେଉଛନ୍ତି । ରାଜ୍ୟ ବାହାରେ କୋରେଇ ହେଉ ବା ଯାଜପୁର ଜିଲ୍ଲାକୁ ଅପରାଧୀକ ଆଧାରରେ ନାଁ ପକାଉଥିବା ଫେରାର ଡକାୟତକୁ ନେଇ ଏଠାକାର ପୁଲିସ ଚିନ୍ତା କରିବାର ଟିକେ ବି ମାଲୁମ ପଡୁନି । ପୂର୍ବକୋଟ ଡକାୟତଙ୍କ ପେଣ୍ଠସ୍ଥଳ ଭାବେ ରାଜ୍ୟ ବାହାରେ ପରିଚିତ ଲାଭ କରି ସାରିଥିବା ବେଳେ ଯାଜପୁର ପୁଲିସ କିନ୍ତୁ ଏହାକୁ ହଜମ କରି ଚାଲିଛି । ଏକଥାକୁ ଜିଲ୍ଲା ପୁଲିସ ହୃଦୟଗମ କରୁଥିଲେ ହେଁ କାହିଁକି କେଜାଣି ନିରବ ବସୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । । ଯାହାଫଳରେ ବସ୍ତିକୁ ଚଢାଉ କରିବାକୁ ଯାଉଥିବା ସ୍ଥାନୀୟ ପୁଲିସକୁ ମଧ୍ୟ ମହଙ୍ଗା ପଡୁଛି । ଯାହା ନିକଟରେ କୋରେଇ ପୁଲିସ କ୍ଷେତ୍ରରେ ଦେଖିବାକୁ ମିଳିଥିଲା । ଏକ ଚୋରା ବାଇକ ଜବଦ କରିବାକୁ ଯାଇଥିବାବେଳେ ପୁଲିସ ଉପରକୁ ହୋଇଥିଲା ଆକ୍ରମଣ । ବସ୍ତିଲୋକେ ଚୋରକୁ ପୁଲିସ ଗାଡିରୁ ନେଇଯିବା ସହ ପୁଲିସକୁ ପିଟିଥିଲେ । ବସ୍ତିର ଅପରାଧିଙ୍କ ବିରୁଦ୍ଧରେ ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଉଥାନ୍ତା କି ବସ୍ତକୁ ଅପରାଧି ମୁକ୍ତ କରିବାକୁ ପୁଲିସ ଗୁରୁତ୍ୱ ଦେଇଥାନ୍ତା, ତେବେ ପୁଲିସ ଉପରେ ଆକ୍ରମଣ କରାଯିବା ଭଳି ଘଟଣା ଘଟିନଥାନ୍ତା । ହେଲେ ଜିଲା ପୁଲିସ କି ରାଜ୍ୟ ପୁଲିସ ଏଦିଗରେ କୌଣସି ପଦକ୍ଷେପ ନେଉନି । ଅପରାଧିଙ୍କ ଚରାଭୁଇଁ ଭାବେ ପୂର୍ବକୋର୍ଟକୁ ଛାଡି ଦେଇଛି ପୁଲିସ ।