ଶୋଇଛି ଆରଡି ବିଭାଗ, ବଢୁଛି ଜନଅସନ୍ତୋଷ
ବେତନଟୀ : ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇଗଲାଣି । ଗମନାଗମନରେ ଲୋକମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହେଉଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଚେଇଁ ଶୋଇଥିବା ଦେଖିବାକୁ ମିଳିଛି । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ଏହାର ଜ୍ୱଳନ୍ତ ଉଦାହରଣ ରହିଛି । ବେତନଟୀ ଆରଡି କାର୍ୟାଳୟ ବଙ୍ଗଳା ଛକଠାରୁ ବାହାରି ଦହିକୋଟୀ, ଅଁଅଳା, ମେର୍ଦା, ହରିପୁର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଲମ୍ବିଛି । ହେଲେ ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇଯାଇଛି । ଅନେକ ସମୟରେ ଛୋଟମୋଟ ଦୁର୍ଘଟଣା ଘଟୁଥିବାରୁ ଲୋକମାନେ ଖଣ୍ଡିଆ ଖଶବରା ବି ହେଉଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଉଥିଲେବି ଏଥିପ୍ରତି ବିଭାଗୀୟ ଅଧିକାରୀମାନଙ୍କର ଦୃଷ୍ଟି ପଡୁନାହିଁ । ସବୁଠାରୁ ବଡ଼ କଥା ହେଉଛି, ସମସ୍ୟା କଥା କହିବାକୁ ଗଲେ କାର୍ଯ୍ୟାଳୟରେ ଅଫିସରଙ୍କ ସାକ୍ଷାତ ମିଳେନାହିଁ । ବରଂ କେବେ ବାରିପଦାରୁ ସାର୍ ଆସିନାହାନ୍ତି ବୋଲି ଶୁଣିବାକୁ ମିଳେ ତ ଆଉକେବେ ସାର୍ କ୍ଷେତ୍ର ପରିଦର୍ଶନକୁ ଯାଇଛନ୍ତି ଶୁଣିବାକୁ ହିିଁ ମିଳେ । ଦୀର୍ଘଦିନ ଧରି ରାସ୍ତା ମରାମତି ହେଉନଥିବାରୁୁ ଲୋକେ ତାତିବା ଆରମ୍ଭ କଲେଣି । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହା ଉପରେ ଦୃଷ୍ଟିଦେବାକୁ ଦାବି ହେଉଛି ।