ବେଆଇନ ବାଲି ଚାଲାଣ, ବିପୁଳ ରାଜସ୍ୱ ହାନି

 ନୀଳଗିରି: ପୁରୁଣା ଗାଁ ଘାଟରୁ ଅହୋରାତ୍ର ଟ୍ରିପ୍ ଟ୍ରିପ୍ ବାଲି ଚୋରି ଚାଲାଣ ହେଉଥିବାବେଳେ ସବୁ ଜାଣି ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ଏ ନେଇ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱହାନୀ ହେଉଛି । ଅଞ୍ଚଳରେ ଦିନକୁ ଦିନକୁ ଦିନ ବାଲିମାଫିଆ ସକ୍ରିୟ ହେବା ସହ ମାଲାମାଲ ହେଉଛନ୍ତି । 
ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅଧିନ ନରସିଂପୁର ପଞ୍ଚାୟତ ସୋନ ନଦୀର ପୁରୁଣା ଗାଁ ଘାଟରୁ ଅହୋରାତ୍ର ଟ୍ରିପ ଟ୍ରିପ ବାଲି ଚୋରି ହେଉଛି । ରାତ୍ରି ହେଲେ ବାଲି ମାଫିଆ ସକ୍ରିୟ ହେବା ସହ ସକାଳ ୭ଟା ପର୍ଯ୍ୟନ୍ତ ଟ୍ରାକ୍ଟର ଯୋଗେ ବାଲି ଉଠାଯାଇ ଆଖପାଖ ଅଞ୍ଚଳରେ କିଏ ଇଟା ଭାଟିରେ ରଖୁଛି ତ ଆଉ କିଏ ଗାଁ ଭିତରେ ଗଚ୍ଛିତ କରି ରଖୁଛନ୍ତି । ପ୍ରଶାସନର ଗତିବିଧିକୁ ଜାଣିବା ପାଇଁ ବିଭିନ୍ନ ଛକରେ ଜଗି ରହି ଅଧିକ ଗଚ୍ଛିତ ହେଲେ ବାଲିକୁ ବଡ଼ବଡ଼ ଟ୍ରକରେ ଲୋଡ୍ କରି ବାହାରକୁ ମଧ୍ୟ ଚାଲାଣ କରି ଦେଉଛନ୍ତି । କିଛିଦିନ ପୂର୍ବରୁ ଦିନରେ ବାଲି ଚୋରି ହେଉଥିବାରୁ ଗ୍ରାମବାସୀମାନେ ବିରୋଧ କରିବାରୁ ଏବେ ବାଲିମାଫିଆ ରାତିର ବାଲି ଚୋରି କରୁଛନ୍ତି । ପ୍ରଶାସନ ସେମାନଙ୍କୁ ଆକଟ କରିବାରେ ବିଫଳ ହୋଇଛି । ଜିଲ୍ଲାପାଳ ଘଟଣାର ହସ୍ତକ୍ଷେପ ନ କଲେ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେବାର ଆଶଙ୍କା ରହିଛି ।