ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ବୈଠକ
ପୁରୀ : ପୁରୀ ଜିଲ୍ଳା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ଏକ ସାଧାରଣ ବୈଠକ ସଭାପତି ପ୍ରଫେସର ଲକ୍ଷ୍ମୀଧର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ମୃତକଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ଓଡ଼ିଶାର ଲେଖା ନିୟନ୍ତ୍ରକ ଅଶୋକ କୁମାର ମହାନ୍ତି ଯୋଗଦାନ କରି ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ପେନସନ୍ ଭୋଗୀ ଶିକ୍ଷକ କର୍ମଚାରୀଙ୍କୁ ପେନସନ୍ ପ୍ରଦାନର ପ୍ରସ୍ତାବ ମିଳିବାର ୧ମାସରୁ ୨ମାସ ମଧ୍ୟରେ ପ୍ରଦାନ କରାଯାଉଛି । ଭବିଷ୍ୟନିଧି ଅର୍ଥ ୧୫ ଦିନ ମଧ୍ୟରେ ମିଳିବାର ବ୍ୟବସ୍ଥା କରାଯାଇଛି । ରାଜ୍ୟର ବହୁ ଶିକ୍ଷକ କର୍ମଚାରୀମାନଙ୍କର ଭବିଷ୍ୟନିଧି ଅର୍ଥ ସେମାନଙ୍କ ଆକାଉଣ୍ଟରେ ଜମା ନହୋଇ ମିସିଂ କ୍ରେଡ଼ିଟ୍ ହୋଇଥିବାରୁ କୋଟି କୋଟି ଟଙ୍କା ପଡ଼ି ରହିଛି । ସେଗୁଡ଼ିକୁ ନିୟମିତ କରି କର୍ମଚାରୀମାନଙ୍କୁ ଅର୍ଥ ପ୍ରଦାନ କରାଯାଉଛି । ଅବସରଦିନ ଶିକ୍ଷକ କର୍ମଚାରୀମାନଙ୍କୁ ଫାଇନାଲ ପେନସନ୍ ପ୍ରଦାନ କରିବା କାର୍ଯ୍ୟ ହାତକୁ ନେଇ ଚାଲୁ ରହିଥିଲେ ମଧ୍ୟ ଠିକ୍ ସମୟରେ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶକ ଓ ଉଚ୍ଚଶିକ୍ଷା ନିଦେ୍ର୍ଦଶକମାନଙ୍କ ପାଖରୁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ମିଳୁନଥିବାରୁ ଉକ୍ତ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏପରିକି ପୁରୀ ଶିକ୍ଷାଧିକାରୀଙ୍କ ନିକଟରୁ ପଏର୍ଯ୍ୟନ୍ତ ଗୋଟେହେଲେ ପ୍ରସ୍ତାବ ମିଳିନାହିଁ । ଅବସର ଦିନ ଆମେ ଫାଇନାଲ ପେନସନ୍ ଦେଇପାରିନାହୁଁ । ସାଧାରଣ ସଂପାଦକ ବିଶ୍ୱନାଥ ବେହେରା କହିଥିଲେ ଯେ ଲେଖା ନିୟନ୍ତ୍ରକଙ୍କ ସହଯୋଗର ପଟାନ୍ତର ନାହିଁ । ଏହି ଅବସରରେ ଲେଖା ନିୟନ୍ତ୍ରକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବୈଠକରେ ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ, ବ୍ରହ୍ମାନନ୍ଦ ଦାସ, ସନ୍ତୋଷ କୁମାର ମହାନ୍ତି, ମିନତୀ ଓଝା, ଆଶାଲତା ପ୍ରଧାନ, ଅଞ୍ଜଳି ରଥ, ସୁରେନ୍ଦ୍ର ଜେନା ଓ ଜୟନ୍ତ କୁମାର ଶତପଥୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ରମେଶ ଚନ୍ଦ୍ର ବଳିଆରସିଂ ଧନ୍ୟବାଦ ଅର୍ପଣ କରିଥିଲେ ।