ଦୁବାଇରୁ ଗାଁକୁ ଫେରିଲା ଶ୍ରମିକଙ୍କ ମୃତଦେହ
ବାଣପୁର : ଅଧିକ ରୋଜଗାର ଓ କରଜ ଟଙ୍କା ଶୁଝିବା ପାଇଁ ମଧ୍ୟ ପ୍ରାଚ୍ୟ ସଂଯୁକ୍ତ ଆରବ ଦେଶ ଦୁବାଇ ଯାଇଥିବା ଜଣେ ଶ୍ରମିକଙ୍କର ସେଠାରେ ମୃତୁ୍ୟ ହୋଇଥିବାବେଳେ ୭ଦିନ ପରେ ମୃତଦେହ ଗ୍ରାମକୁ ଫେରିଛି । ବାଣପୁର ଥାନା ଅନ୍ତର୍ଗତ ସାନ ହନ୍ତୁଆଡ଼ ଗ୍ରାମର ଲଷ୍ମୀ ଧର ଦଳେଇ ୨ବର୍ଷ ହେବ ଦୁବାଇରେ ଏକ କମ୍ପାନୀରେ ହେଲପେର ଭାବରେ କାମ କରୁଥିବା ବେଳେ ଝିଅ ବାହାଘର କରିବା ପାଇଁ ଘରକୁ ଆସିଥିଲେ । ବିବାହ ସରିବା ପରେ ସେ କରିଥିବା କରଜ ସୁଝିବା ପାଇଁ ପୁଣି ଦୁବାଇ ଯାଇଥଲେ । ଗଲାବେଳେ ସାଥିରେ ପୁଅ ବାବୁଲିକୁ ମଧ୍ୟ ନେଇଥିଲେ । ସେଠାରେ ଗତ ୧୯ତାରିଖରେ ତାଙ୍କ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ପୁଅ ବାବୁଲ ମୃତଦେହ ଧରି ରବିବାର ଗ୍ରାମକୁ ଫେରିବା ପରେ ଏକ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତେବେ ଗତ ମାର୍ଚ୍ଚ ମାସ ୨ତାରିଖରେ ଏହି ଥାନା ଦୁଲଣି ଗ୍ରାମର ଲଷ୍ମଣ ପ୍ରଧାନଙ୍କର ସେହି ଦୁବାଇରେ ମୃତୁ୍ୟ ହୋଇଥିବା ବେଳେ ୧୫ଦିନ ପରେ ଶବ ଗ୍ରାମକୁ ଆସିଥିଲା ।