ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଯଖପୁରା-ଦାନଗଦୀ: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ୟାଜଦାନୀ ଷ୍ଟିଲ ଆଣ୍ଡ ପାୱାର କାରଖାନା ଭିତରୁ ଜଣେ ଶ୍ରମିକଙ୍କ ମୃତଦେ ଝୁଲନ୍ତା ଅବସ୍ଥ୍ାରେ ଉଦ୍ଧାର ହୋଇଛି । ମୃତ ଶ୍ରମିକ ସୁକିନ୍ଦା ବ୍ଲକ କଇଥା ଗାଁର ମିଞ୍ଜଦଳାଇଙ୍କ ପୁତ୍ର ଚୈତନ୍ୟ (୨୫)ହୋଇଥିବା ବେଳେ, ସେ ସବୁଦିନ ପରି ମଙ୍ଗଳବାର ସକାଳୁ କାରଖାନାକୁ କାମ କରିବା ପାଇଁ ଆସିଥିଲେ । କାରଖାନା ଭିତରେ ପ୍ରବେଶ କରିବାର କେଇ ଘଣ୍ଟା ପରେ ଏକ ସ୍ଥାନରେ ଝୁଲୁଥିବା ଶ୍ରମିକ ଦେଖିବାକୁ ପାଇଥିଲେ । ଖବର ପାଇ ଯଖପୁରା ପୁଲିସ ପହଁଚି ଶବକୁ ଜବଦ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ମୃତ ଶ୍ରମିକ ବିଏସଏସ ପାୱାର ଠିକାସଂସ୍ଥା ପାଖରେ ଠିକାଶ୍ରମିକ ଭାବେ କାର୍ଯ୍ୟ କରୁଥିଲା । ଖବର ପାଇ ପରିବାର ଲୋକେ କାରଖାନାରେ ପହଁଚିଥିଲେ । ମୃତୁ୍ୟର କାରଣ ଅସ୍ପଷ୍ଟ ଥିଲେ ହେଁ ପରିବାର ଲୋକେ ଶବ କାରଖାନା ସମ୍ମୁଖରେ ରଖି ଉପଯୁକ୍ତ କ୍ଷତିପୂରଣ ଦାବୀ କରିଥିଲେ । ଯାହାକୁ ନେଇ ଉତେଜନା ସୃଷ୍ଟି ହୋଇଥିଲା । ସ୍ଥାନୀୟ ପ୍ରଶାସନ, କାରଖାନା କର୍ତୃପକ୍ଷ, ପୁଲିସଙ୍କ ମିଳିତ ବୈଠକରେ କ୍ଷତି ପୂରଣ ବାବଦ ୧୫ ଲକ୍ଷ ଟଙ୍କା ଓ ଶବଦାହ ପାଇଁ ୫୦ହଜାର ଏବଂ ପରିବାରରୁ ଜଣଙ୍କୁ ଠିକାଦାର ଅଧିନରେ ଚାକିରି ଦେବାକୁ ଲିଖିତ ଭାବେ ଦେବା ପରେ ପରିସ୍ଥିତ ଶାନ୍ତ ପଡ଼ିଥିଲା । ପୁଲିସ ଶବ ଜବତ କରି ବ୍ୟବେଚ୍ଛେଦ ପାଇଁ ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।