ଦମନମୂଳକ ନୀତି ଆପଣାଉଛି ପୁଲିସ : ଏସ୍ପିଙ୍କ ହସ୍ତକ୍ଷେପ ଲୋଡିଲା ଗଣ ସଂଗଠନ

 ଯାଜପୁର: ରାତି ଅଧରେ ପୁଲିସ ଚଢ଼ଉ କରୁଛି । ଶାନ୍ତିପୂର୍ଣ୍ଣ ପଦଯାତ୍ରାକୁ ବାରଣ କରି ସିଭିଲ ସୋସାଇଟ ଫୋରମ ଯାଜପୁର ସମ୍ପାଦକ ବିଶ୍ୱନାଥ ପାତ୍ରଙ୍କ କଣ୍ଠରୋଧ ପାଇଁ ଉଦ୍ୟମ କରୁଥିବା ସମ୍ପର୍କରେ ଗଣ ସଙ୍ଗଠନ ନେତୃବର୍ଗ ଯାଜପୁର ଏସପିଙ୍କ ହସ୍ତକ୍ଷେପ ଲୋଡ଼ିଛି । ଅଭିଯୋଗ ଅନୁଯାୟୀ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପରିବେଶ ପ୍ରଦୂଷଣ, ବେରୋଜଗାର, ବିସ୍ଥାପିତ, ଜମିହରାଙ୍କ ସମସ୍ୟା ସମ୍ପର୍କରେ ଲୋକଙ୍କ ଜନଶୁଣାଣି ପାଇଁ ସିଭିଲ ସୋସାଇଟ ଫୋରମ ଯାଜପୁରର ସମ୍ପାଦକ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ଜରିଆରେ ଗତ ୧୧ ତାରିଖରେ କଳିଙ୍ଗନଗର ଆଇଆଇସିଙ୍କ ଠାରୁ ଅନୁମତି ମାଗିଥିଲେ । କଳିଙ୍ଗନଗର ପୁଲିସ ଅନୁମତି ଦେଇନଥିବା ବେଳେ କଳିଙ୍ଗନଗର ଅତିରିକ୍ତ ଏସପି ୧୨ ତାରିଖ ଦିନ ମୌଖିକ ଭାବେ ପଦଯାତ୍ରା ବନ୍ଦ କରି ସେମିତି ସଭା କରିବାକୁ କହିଥିଲେ । କିନ୍ତୁ ଉକ୍ତ ତାରିଖ ରାତି ଅଧରେ ଯାଜପୁର ରୋଡ଼ ପୁଲିସ  ବିଶ୍ୱନାଥ ପାତ୍ରଙ୍କୁ ଖୋଜାଖୋଜି କରି ଲୋକଙ୍କୁ ପଚରା ଉଚୁରା କରିଥିଲେ । ଗିରଫ କରିବାକୁ ଦୁଇଟି ପିସିଆର ଭ୍ୟାନ୍ ପଇଁତରା ମାରିଥିଲା । କୌଶଳ କ୍ରମେ ବିଶ୍ୱନାଥ ୧୩ ତାରିଖରେ କଳିଙ୍ଗନଗର ଥାନା ବାରଗାଡ଼ିଆରେ ହେଉଥିବା ଲୋକଙ୍କ ଜନ ଶୁଣାଣିରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହେଲେ ଯାଜପୁର ରୋଡ଼ ଥାନା ପୁଲିସ ବାକ ସ୍ୱାଧୀନତା, ସଭା ସମିତି କରିବାର ଅଧିକାରକୁ ଦମନ ମୂଳକ ନିତି ଆପଣାଇ ଲୋକଙ୍କ ସ୍ୱରକୁ ଚପେଇ ଦେବାକୁ ପ୍ରୟାସ କରୁଥିବା ସମ୍ପର୍କରେ ଶୁକ୍ରବାର ଏସପିଙ୍କୁ ଅଭିଯୋଗ ହୋଇଛି । ବିଭିନ୍ନ ଗଣ ସଂଗଠନ ନେତୃବର୍ଗଙ୍କ ପକ୍ଷରୁ ମନୋରଞ୍ଜନ ଜେନା, ଗଜେନ୍ଦ୍ର କୁମାର ଜେନା, ବାଉରୀ ବନ୍ଧୁ ମଲ୍ଲିକ, ଯୋଶବନ୍ତ ଜେନା, ପ୍ରମୁଖ ଏସପିଙ୍କ ହସ୍ତକ୍ଷେପ ଦାବି କରିଥିବା ବେଳେ ଏଏସପି ଏସ କାନୁନଗୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୁତି ଦେଇଥିବା ସୂଚନା ମିଳିଛି । ସିଭିଲ ସୋସାଇଟ ଯାଜପୁର ସମ୍ପାଦକ ବିଶ୍ୱନାଥ ପାତ୍ର କେନ୍ଦ୍ରାଂଚଳ ଡିଆଇଜି ଚରଣ ସିଂ ମିନାଙ୍କ ସହ ରାଜ୍ୟ ପୁଲିସ ମହାନିର୍ଦେଶକ. ରାଜ୍ୟ ଗୃହ ସଚିବଙ୍କୁ ମେଲ ଯୋଗେ ଯାଜପୁର ରୋଡ଼ ପୁଲିସର ମନମୁଖି ନିତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।