ଦଲାଲଙ୍କ କବ୍ଜାରେ ଚାଷ ଜମି : ବେଆଇନ କାର୍ଯ୍ୟ ଉପରେ ଅଙ୍କୁଶ ନାହିଁ  

 କେନ୍ଦୁଝର : କେନ୍ଦୁଝର ମାଷ୍ଟରପ୍ଲାନ ଏରିଆରେ ଥିବା ଶହ ଶହ ଏକର ଚାଷ ଜମି ଦଲାଲଙ୍କ କବଜାରେ ରହିଛି । ଜମି ମାଲିକଙ୍କ ଠାରୁ ଚୁକ୍ତି କରି ଏହି ଚାଷ ଜମିକୁ ପାର୍ଟ ପ୍ଲଟ କରି ଲୋକଙ୍କୁ ଅଧିକ ଦରରେ ବିକ୍ରି କରୁଛନ୍ତି । ସଦର ତହସିଲ ପକ୍ଷରୁ ଲୁଚାଛପାରେ ଏହି ଚାଷ ଜମିକୁ କିସମ ପରିବର୍ତ୍ତନ କରି ଘରବାରି କରି ଦିଆଯାଉଥିବାରୁ ଚାଷ ଜମି ଉଜୁଡି ଯାଉଛି । କେନ୍ଦୁଝର ଆଖପାଖ ଅଞ୍ଚଳରେ ଚାଷ ଜମି ଦିନକୁ ଦିନ କମିବାରେ ଲାଗିଛି । କେନ୍ଦୁଝର ସଦର ତହସିଲରେ ଚାଷ ଜମିକୁ ଲାଗି ରହିଥିବା ବହୁ ଅନାବାଦି, ଗୋଚର, ସରକାରୀ ଜମିକୁ ରାସ୍ତା ଦେଖାଇ ଘରବାଡି କରାଯାଉଛି । ଜମି ମାଫିଆଙ୍କ କବଜାରେ ରାଜସ୍ୱ ନୀରିକ୍ଷକ ଓ ତହସିଲର ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ଏହି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି । ଗାଁ ଗହଳିରେ ଜଣେ ଗରିବ ଶ୍ରେଣୀର ଲୋକ ଘରଟିଏ କରିବା ପାଇଁ ୪/୫ ଡିସିମିଲ ଜମି କିଣି କିସମ ପରିବତ୍ତନ କରିବାକୁ ହେଲେ ତହସିଲ କର୍ମଚାରୀମାନେ ସରକାରଙ୍କ ବିଭିନ୍ନ ନିୟମ କାନୁନ ଦେଖାଇ ସେମାନଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ଜମି ମାଫିଆମାନେ ବିକ୍ରୀ କରୁଥିବା ଚାଷ ଜମି ରାତାରାତି ଘରବାଡି କିସମରେ ପରିବତ୍ତନ କରାଯାଉଛି । ସଦର ତହସିଲରେ ଗରିବ ଗୁରୁବା ଲୋକଙ୍କ ପାଇଁ ସରକାରୀ ନୀତିନିୟମ କଡାକଡି କରାଯାଉଥିବାବେଳେ, ଜମି ମାଫିଆମାନେ ବିକ୍ରୀ କରିଥିବା ଜମି କିଭଳି ସହଜରେ ଘରବାଡି କରାଯାଉଛି ସେ ନେଇ ପ୍ରଶ୍ନ ଉଠିଛି । ଜମି ମାଫିଆମାନେ କିଭଳି ସହଜରେ ସମସ୍ତ କାର୍ଯ୍ୟ ସହଜରେ ହାତେଇବା ପାଇଁ ସକ୍ଷମ ହେଉଛନ୍ତି ତାହା ତଦନ୍ତ କଲେ ଜଣାପଡିବ । କେନ୍ଦୁଝର ମାଷ୍ଟରପ୍ଲାନ ଏରିଆରେ ଏକର ଏକର ଚାଷ ଜମି ପୋତି ଦେଇ ସେଥିରେ ରାସ୍ତା କରି ପ୍ଲଟିଂ କରିବା ପରେ ଏହାର ପାଶ୍ୱର୍ରେ ରହିଥିବା ଅନ୍ୟାନ୍ୟ ଚାଷ ଜମିକୁ ସଠିକ୍ ଭାବେ ଜଳ ସେଚନ ହୋଇ ପାରୁନଥିବା କିମ୍ବା ବର୍ଷା ଦିନେ ଅଧିକ ବର୍ଷା ହେଲେ ଏହି ଜମିରେ ଜଳ ନିଷ୍କାସନ ହୋଇପାରୁନଥିବା ଧୃର୍ପଦା ଅଂଚଳର ଚାଷୀମାନେ ଅଭିଯୋଗ କରିଛନ୍ତି । ଫଳରେ ଫସଲ ନଷ୍ଟ ହେବା ସହ ଚାଷୀ କ୍ଷତିଗସ୍ତ ହେଉଛନ୍ତି । ଏ ନେଇ ବାରମ୍ବାର ଅଭିଯୋଗ କଲେ ରାଜସ୍ୱ ବିଭାଗର ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବହୁ ଚାଷୀ ଚାଷ କରିବାକୁ ମୁହଁ ଫେରାଇଲେଣି । ଏହାଛଡା ଚାଷୀମାନେ ଜମିକୁ ହଳ କରିବା ପାଇଁ ପାୱାର ଟିଲର କିମ୍ବା ଟ୍ରାକ୍ଟର ନେବା ଆଣିବା ପାଇଁ ବିଭିନ୍ନ ସମସ୍ୟା ଉପୁଜିଛି । କେନ୍ଦୁଝର ମାଷ୍ଟରପ୍ଲାନ ଅଂଚଳରେ ଚାଷ ଜମିରେ ବଡ ବଡ ଅଟ୍ଟାଳିକା,ପାଚେରୀ,ବ୍ୟବସାୟିକ ଗୃହ,ଗ୍ୟାରେଜ କରିବା ଫଳରେ ଜଳ ନିଷ୍କାସନ ଏବଂ ଜଳସେଚନ ପାଇଁ ଅସୁବିଧା ହେଉଛି । ଗୃହ ନିର୍ମାଣ ପାଇଁ ବଡ ବଡ ଚକ ଜମିରେ ମାଟି ପକାଇ ପୋତି ଉଚ୍ଚା କରି ଦେଇଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଚାଷ ଜମିର କିସମ ପରିବର୍ତ୍ତନ ନ କରିବା ପାଇଁ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଛନ୍ତି ।  କେନ୍ଦୁଝର ମାଷ୍ଟରପ୍ଲାନ ଅଂଚଳରେ ପାର୍ଟ ପ୍ଲଟ ବିକ୍ରି ଉପରେ ଅଙ୍କୁଶ ରହିଥିବାବେଳେ, ଅନେକ ମୌଜାରେ ବେଡଧକ ପାର୍ଟ ପ୍ଲଟ ବିକ୍ରି ଚାଲିଛି । ବାଁପାର ମୌଜାରେ ପ୍ଲଟିଂ ହୋଇ ଜମି ବିକ୍ରି ପରେ ଗ୍ରୀନ ଜୋନ୍ରେ ଥିବା ସାରଦ ଜଳ ଦୁଇ କିସମ ଜମିକୁ ବେଆଇନ ଭାବେ ଘରବାରି କିସମ ପରିବର୍ତ୍ତନ କରାଯାଇଛି । ସଦର ତହସିଲ ମଣ୍ଡୁଆ ରାଜସ୍ୱ ନୀରିକ୍ଷକ ଅନ୍ତର୍ଗତ ବାଁପାର ମୌଜାରେ ଗ୍ରାନ ଜୋନ୍ରେ ଥିବା ୧୦ଟି ପ୍ଲଟକୁ ଘରବାରିରେ କିସମ ପରିବର୍ତ୍ତନ କରାଯାଇଛି । ମାଷ୍ଟରପ୍ଲାନ ଅଂଚଳରେ ଟାଉନ ପ୍ଲାନିଂ ଅଧିକାରୀଙ୍କ ମତା ମତ ନିଆ ନ ଯାଇ ଘରବାରି କରାଯାଇଛି । ଚାଷ ଜମିକୁ ରାସ୍ତା ନଥାଇ ପାର୍ଟ ପ୍ଲଟ କରି ରେଜେଷ୍ଟ୍ରି କରାଇବା ଓ ଉକ୍ତ ପ୍ଲଟ କୁ ଘରବାରି ସୁବିଧା ପରେ ଦିଆଯାଉଛି । ନଗର ଉନ୍ନୟନ ବିଭାଗ ଯେଉଁ ଲକ୍ଷ୍ୟ ଉଦେ୍ଦଶ୍ୟ ନେଇ କେନ୍ଦୁଝରରେ ମାଷ୍ଟର ପ୍ଲାନ କାର୍ଯ୍ୟକାରୀ କରିଥିଲେ କିନ୍ତୁ ନିତୀନିୟମ ଉଲ୍ଲଙ୍ଘନ ହୋଇ ଜମି ବିକ୍ରୀ ହେଉଥିବାରୁ ତାହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।