ଦାଦନ ଶ୍ରମିକଙ୍କ ମୃତୁ୍ୟ
ନୂଆପଡା : ନୁଆପଡା ଜିଲ୍ଲା ରେ ପୁଣି ଦାଦାନ ଶ୍ରମିକର କରୁଣ କାହାଣି ସାମ୍ନାକୁ ଆସିଛି । ଦିନରାତି କାମକରି ସଦ୍ଦାରର ନିର୍ଯାତନାରେ ଅସୁସ୍ଥ ହୋଇ ଇଟାଭାଟିରେ ମୃତୁ୍ୟ ବରଣ କରିଛନ୍ତି ୧୭ବର୍ଷୀୟା ନାବାଳିକା ଦାଦାନ ଶ୍ରମିକ । ଶ୍ରମିକ ଜଣକ ହେଉଛନ୍ତି ଖଡିଆଳ ବ୍ଳକ ଝୋଲପଥର ଗାଁର ନାବାଳିକା କଳ୍ପନା ତାଣ୍ଡି । ଶନିବାର ମୃତ ଶ୍ରମିକଙ୍କ ଶବ ଝୋଲପଥର ଗାଁକୁ ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।ନୂଆପଡା ଜିଲ୍ଲା ଝୋଲପଥରୁ ଗାଁରୁ ବିଧବା ମହିଳା ମହାଦେଇ ତାଣ୍ଡି, ପୁଅ ମୁଳୋଷ ତାଣ୍ଡି, ୧୭ବର୍ଷୀଆ ନାବାଳିକା ଝିଅ କଳ୍ପନା ତାଣ୍ଡି । ସମ୍ପର୍କୀୟଙ୍କ ସହିତ ଅକ୍ଟୋବର ମାସ ୨୦୨୪ରେ ସୁଦୁର ହାଇଦ୍ରାବାଦ ଯାଇଥିଲେ । ସେଠାରେ ଫ୍ୟାକ୍ଟେରୀରେ ଇଟାଗଢା କାମରେ ନିୟୋଜିତ ଥିଲେ । ଭୋକ ଉପାସରେ ଦିବା ରାତି କାମ ସହିତ ସର୍ଦ୍ଦାରର ନିର୍ଯ୍ୟାତନାକୁ ସହ୍ୟ କରିନପାରି ଅସୁସ୍ଥ ହୋଇ ପଡିଥିଲେ ୧୭ବର୍ଷୀଆ ନାବାଳିକା ଶ୍ରମିକ କଳ୍ପନା ତାଣ୍ଡି । ଖାଦ୍ୟ ଓ ଚିକିସôା ଅଭାବରୁ ଚୀର ଦିନପାଇଁ ଆରପାରିକୁ ଚାଲିଗଲା ଏକ ନିରୀହ ଜୀବନ । ସମାଜସେବୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ତତ୍ୱାବଧାନରେ ଶନିବାର ଗାଁକୁ ଫେରିଛି ଶ୍ରମିକଙ୍କ ମୃତଦେହ । ଜିଲ୍ଲାରେ ଦାଦନ ଶ୍ରମିକଙ୍କୁ ନିର୍ଯ୍ୟାତନାର ସୀମା ଟପି ଯାଇଛି । ଶ୍ରମିକଙ୍କୁ ମୁଣ୍ଡବନ୍ଦୀ ରଖିବା, ମାଡମାରିବା ଅକଥନୀୟ ନିର୍ଯ୍ୟାତନା ଦେବା ଦିନକୁ ଦିନ ବୁଦ୍ଧି ପାଇବାରେ ଲାଗିଛି, ହେଲେ ସରକାର କିମ୍ବା ନୁଆପଡା ଜିଲ୍ଲା ଶ୍ରମ ବିଭାଗ ଦାଦନ ରୋକିବାରେ ସମ୍ପୂର୍ଣ ଫେଲ ମାରିଛି କହିଲେ ଭୁଲ ହେବନାହିଁ । ଜିଲ୍ଲାରୁ ବେଆଇନ ଭାବରେ ପ୍ରତିବର୍ଷ ହଜାର ହଜାର ଶ୍ରମିକ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ, ହାତ ବାନ୍ଧି ବସିଛି ଜିଲ୍ଲା ଶମ ବିଭାଗ । ଅପରପକ୍ଷେ ନିଜ ଅଞ୍ଚଳରେ କାମ ରୋଜଗାର ନପାଇ ବାଧ୍ୟହୋଇ ରାଜ୍ୟ ବାହାରକୁ ଯାଉଛନ୍ତି ଶ୍ରମିକ ଫଳରେ ଅକାଳରେ ମୃତୁ୍ୟ ମୁଖରେ ପଡୁଛନ୍ତି ।