ବର୍ଷା ଦିନ ଆସିଲାଣି; ମରାମତି ହେଉନି ନଦୀ ବନ୍ଧ
ଯଖପୁରାରୁ ଦିଲ୍ଲୀପ କୁମାର ପରିଡା :
ଓଡ଼ିଶା ଛୁଇଁଲାଣି ମୌସୁମୀ । ମୌସୁମୀ ଜ ନୀତ ବର୍ଷାକୁ ଦୃଷ୍ଟିରେ ରଖି ଜିଲାସ୍ତରରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମକଡ଼୍ରିଲ କାର୍ଯ୍ୟକ୍ରମ ଆରମ୍ଭ ହେଲାଣି । ଖରା ଦିନ ସରିବାକୁ ବସିଥିବାରୁ ଆଉ କେଇଟା ଦିନ ପରେ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି ।
ବର୍ଷା ଦିନ ଆସିବା ଆସିବା ହେଉଥିବା ବେଳେ ନଈ କୂଳ ବାସିନ୍ଦାଙ୍କୁ ଘରିଲାଣି ନଦୀ ବନ୍ଧ ଚିନ୍ତା । ସାଧାରଣତ ବର୍ଷା ଦିନ ହେଲା ପରେ ନଦୀରେ ବଢ଼ି ଆସିବାର ଦେଖାଯାଏ । ଏଥିଯୋଗୁ ନଈ କୂଳିଆ ଲୋକଙ୍କ ମନରେ ଛନକା ପସିଥାଏ । ରାଜ୍ୟ ସରକାର ବର୍ଷା ଦିନ ପୂର୍ବରୁ ରାଜ୍ୟର ସମସ୍ତ ନଦୀ ବନ୍ଧକୁ ମରାମତି ପାଇଁ ଅନୁମତି ଦେଇଥାନ୍ତି । ସେହିକ୍ରମରେ ବର୍ଷା ଦିନ ପୂର୍ବରୁ ନଦୀ ବନ୍ଧର ମରାମତି ହେବା କଥା । କିନ୍ତୁ ଦାନଗଦୀ ବ୍ଲକ୍ ଅଧୀନସ୍ଥ ଖପୁରିଆପଦା ପଞ୍ଚାୟତର ନଦୀ ବନ୍ଧ ରାସ୍ତା ଏପର୍ଯ୍ୟନ୍ତ ମରାମତି କରାଯାଇ ନାହିଁ କି ନିକଟପାଖରେ କରାଯିବାର ଦେଖାଯାଉନି । ନଦୀ ବନ୍ଧ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବାରୁ କୁଳବାସୀ ଚିନ୍ତାରେ ପଡ଼ିବା ସ୍ୱାଭାବିକ୍ । ବ୍ରାହ୍ମଣୀ ନଦୀରେ କୂଳେ କୂଳେ ଅବସ୍ଥିତ ଥିବା ପଞ୍ଚାୟତର ଅନେକ ଗ୍ରାମ ରହିଛି । ନଦୀ ବଢ଼ି ସମୟରେ ଗାଁ ଗାଁରେ ଲୋକମାନଙ୍କ ମଧ୍ୟରେ ଛନକା ରହିଥାଏ । କେତେ ବେଳେ କଣ ଘଟିବ କିଏ କହିପାରିବ । ନଦୀ ବନ୍ଧ ଭୁଶୁଡ଼ିଲେ ଅନେକ ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ରହିଥାଏ । ସେଥିପାଇଁ ବର୍ଷ ଦିନ ପୂର୍ବରୁ ଏହି ନଦୀ ବନ୍ଧକୁ ମରାମତି କରିବାର ଆବଶ୍ୟକ ରହିଥିବା ବେଳେ ଏପର୍ଯ୍ୟନ୍ତ ଏହାର ମରାମତି କରାଯାଇ ନାହିଁ । ନଦୀ ବନ୍ଧର ରାସ୍ତା ଖାଲ ଖମାରରେ ପୂର୍ଣ୍ଣ । ବିପଦ ସଙ୍କୁଳ ଅବସ୍ଥାରେ ରହିଛି ନଦୀ ବନ୍ଧ ରାସ୍ତା । ପ୍ରତ୍ୟେକ ଦିନ ଏହି ରାସ୍ତା ଉପରେ ଆଖ ପାଖ ପାଞ୍ଚ ସାତଟି ପଞ୍ଚାୟତ ଲୋକମାନେ ନିର୍ଭର କରନ୍ତି । ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି । ଯେହେତୁ ରାସ୍ତାଟି ଶିଳ୍ପାଞ୍ଚଳ ସହିତ ସଂଯୋଗ ରହିଛି ତେଣୁ ଏହା ଅନେକାଂଶରେ ଗୁରୁତ୍ୱ ବହନ କରେ । ତା ସହିତ ଏହି ନଦୀ ବନ୍ଧ ରାସ୍ତା ଟି ଦୁଇ ଦୁଇଟି ଜାତୀୟ ରାଜପଥ ସହିତ ସଂଯୋଗ କରିଛି ।
କୁଆଖିଆ ଠାରୁ ଆରମ୍ଭ କରି ଡ଼ୁବୁରୀ ପର୍ଯ୍ୟନ୍ତ ଲମ୍ବିଛି । ଫଳରେ ପ୍ରତ୍ୟେକ ଦିନ ବାହାର ଅଞ୍ଚଳର ଲୋକମାନଙ୍କର ପ୍ରମୁଖ ରାସ୍ତା ପାଲଟିଛି ଏହି ନଦୀ ବନ୍ଧ ରାସ୍ତା । ବ୍ୟାସନଗର ପରି ସହରକୁ ସଂଯୋଗ କରୁଛି ଏହି ରାସ୍ତା । ଫଳରେ ସ୍ଥାନୀୟ ଲୋକଙ୍କର ଡାକ୍ତରଖାନା ଠାରୁ ଆରମ୍ଭ କରି ସ୍କୁଲ କଲେଜ ପିଲାମାନଙ୍କର ଯିବା ଆସିବାର ରାସ୍ତା ପାଲଟିଛି ଏହି ନଦୀ ବନ୍ଧ । ନଦୀ ବନ୍ଧଟି ଦେଖିବାକୁ ଗଲେ ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଥାଏ । ଶହଶହ ଲୋକଙ୍କର ମୁଖ୍ୟ ନଦୀ ବନ୍ଧ ରାସ୍ତା ଟି ସଙ୍କଟାପନ୍ନ ଅବସ୍ଥାରେ ପଡ଼ିରହିଛି । ଏପଟେ ନଦୀର ଭୟ ସେପଟେ ରାସ୍ତାର କରୁଣ ଚିତ୍ର ଭିତରେ ପେଶି ହେଉଛନ୍ତି ନଦୀ ବନ୍ଧବାସୀ । ଏମିତିକି ବ୍ରାହ୍ମଣୀ ନଦୀରେ ବଢ଼ି ଆସିଲେ ନଦୀର ଜଳ ଏହି ନଦୀ ବନ୍ଧକୁ ସ୍ପର୍ଶ କରି । ଭୟରେ ଲୋକମାନେ ରହିଥାନ୍ତି । ନଈ ବଢ଼ି ସମୟରେ ସ୍ଥାନୀୟ ବାସିନ୍ଦାଙ୍କ ସହାଭରସା ସାଜିଥାଏ ଏହି ନଦୀ ବନ୍ଧ ।ଘରେ ଦ୍ୱାରେ ପାଣି ପଶିବା ଭୟରେ ଲୋକମାନଙ୍କ ଠାରୁ ଆରମ୍ଭ କରି ଗୋରୁ ଗାଈ ସମସ୍ତେ ଆଶ୍ରୟ ନିଅନ୍ତି ଏହି ନଦୀ ବନ୍ଧ ଉପରେ । ପ୍ରତ୍ୟେକ ବର୍ଷ ଏହି ନଦୀ ବନ୍ଧକୁ ମରାମତି କରାଯାଉଥିବା ବେଳେ ଏ ବର୍ଷ ତାହା ହୋଇପାରି ନାହିଁ । ନଦୀ ବନ୍ଧର ରାସ୍ତାକୁ ସମ୍ପ୍ରସାରଣ ପାଇଁ ରାସ୍ତାର ଉଭୟ ପଟକୁ ଖୋଳି ଦିଆଯାଇଛି । ଯାହା ବୋଝ ଉପରେ ନଳିତା ବିଡା ସଦୃଶ । ରାସ୍ତାଟି ଖାଲ ଖମାରରେ ପୂର୍ଣ୍ଣ ଥିବାବେଳେ ଉଭୟ ପଟକୁ ଖୋଳି ଦିଆଯାଇଛି । ଅସମ୍ପୂର୍ଣ୍ଣ ଭାବରେ ରାସ୍ତାଟି ପଡ଼ିରହି ବାଟ ଗଲାଙ୍କୁ ବିପଦରେ ପକାଉଛି । ତେଣୁ ଯଥା ଶୀଘ୍ର ନଦୀ ବନ୍ଧ ସହିତ ରାସ୍ତାକୁ ସମ୍ପୂର୍ଣ୍ଣ ଠିକ୍ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏହା ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କୁ ନିବେଦନ କରାଯାଉଛି ।