ଧାନବସ୍ତା ରଖି ଧାରଣା ଦେଲେ ଚାଷୀ
ନୀଳଗିରି : ଦିନକୁ ଦିନ ପ୍ରଶାସନ ଏବଂ ସରକାରଙ୍କ ଉପରୁ ଚାଷୀଙ୍କ ବିଶ୍ୱାସ ତୁଟିବାକୁ ଲାଗିଛି । କଥାଦେଇ କଥା ରଖିଲେନି । ସେଥିପାଇଁ ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ମାଟିଆଳି ବୃହଦାକାର ସମବାୟ ସମିତି ଛତ୍ରପୁର ଶାଖାରେ । ଗତ ଫେବୃଆରୀ ୮ତାରିଖରେ ଉକ୍ତ ଶାଖାର ଚାଷୀମାନେ ଅଧିକାରୀଙ୍କ ପ୍ରିୟାପ୍ରୀତି ତୋଷଣ, ମଣ୍ଡିରେ ଧାନର କଟନି ଛଟଣି, ଟୋକନ୍ ଅବଧି ସମାପ୍ତ ହେବା ପୂର୍ବରୁ ଆଇସ୍କାନ କରିବା, ଆଦି ବିଭିନ୍ନ ସମସ୍ୟା ନେଇ ୧୯ନଂ ରାଜ୍ୟରାଜପଥ ଛତ୍ରପୁର ଠାରେ ଧାନବସ୍ତା ରଖି ପ୍ରତିବାଦ ସ୍ୱରୂପ ଧାରଣା ଦେଇଥିଲେ । ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ପହଞ୍ଚି ଚାଷୀଙ୍କ ସମସ୍ତ ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଶାଖାର ପ୍ରାୟ ୨୦ଜଣ ଚାଷୀଙ୍କ ଟୋକନ ସମୟସୀମା ପୁରି ଯାଇଥିଲେ ମଧ୍ୟ ସେମାନଙ୍କ ଧାନ ମଣ୍ଡିରେ ବିକ୍ରୀ ହୋଇପାରିନାହିଁ । ସେମାନଙ୍କର ଆଇସ୍କାନ କରାଯାଇନାହିଁ । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଅଧିକାରୀଙ୍କ ଅସହଯୋଗ ଚାଷୀଙ୍କୁ ଚିନ୍ତାରେ ପକାଇଥିଲା । ଶେଷରେ ବାଧ୍ୟହୋଇ ଶନିବାର ସକାଳ ୬ଘଟିକା ଠାରୁ ଟୋକନ୍ ସମୟସୀମା ସମାପ୍ତି ହୋଇଥିବା ସମସ୍ତ ଚାଷୀଙ୍କ ସମେତ ଶହଶହ ଚାଷୀ ୧୯ନଂ ରାଜ୍ୟରାଜପଥ ଛତ୍ରପୁର ଠାରେ ଧାନବସ୍ତା ରଖି ଧାରଣା ଦେଇଥିଲେ । ଫଳରେ ରାସ୍ତାର ଉଭୟପଟରେ ଶହଶହ ଯାନବାହାନ ଅଟକି ରହି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବରପାଇ ବରହମପୁର ପୁଲିସ ଏବଂ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ମାତ୍ର ବିଭାଗୀୟ ଉଚ୍ଚÿପଦସ୍ଥ ଅଧିକାରୀ ପହଞ୍ଚି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁରହିବ ବୋଲି ଚାଷୀମାନେ ଦାବି କରିଥିଲେ । ପରେ ଏସସିଏସଓ ହିମାଂଶୁ ଭୁଷଣ ସାହୁ ଓ ଦୀପକ ରଞ୍ଜନ ବେହେରା, ସିଏସଓ ସଲାଉଦ୍ଦିନ ଖାନ, ଉପନିବନ୍ଧକ ସମବାୟ ସମିତି ସମୂହ ବାଲେଶ୍ୱର ମଣ୍ଡଳ ବାଲେଶ୍ୱର ସରୋଜିନୀ ନାଏକ, ସହକାରୀ ନିବନ୍ଧକ ନୀଳଗିରି ବିଚିତ୍ରାନନ୍ଦ ପଟ୍ଟନାୟକ, ନୀଳଗିରି ଯୋଗାଣ ଅଧିକାରିଣୀ ରାଜଲକ୍ଷ୍ମୀ ପଣ୍ଡା ଧାରଣା ସ୍ଥଳରେ ପହଞ୍ଚିଥିଲେ । ପରେ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆ ମଧ୍ୟ ପହଞ୍ଚି ବିଭାଗୀୟ ଅଧିକାରୀଙ୍କ ସହିତ ରୁଦ୍ଧଦ୍ୱାର ବୈଠକ କରିଥିଲେ । ଏସଡିପିଓ ପ୍ରମୋଦ କୁମାର କୁମାର ମଲ୍ଲିକ ଚାଷୀଙ୍କ ସହିତ ଆଲୋଚନା କରି କିପରି ଟୋକନ୍ ସମୟ ଅତିକ୍ରାନ୍ତ କରିଯାଇଥିବା ଚାଷୀଙ୍କ ଧାନକିଣା ଯାଇପାରିବ, ମିଲର ଗୁଡିକ ସଠିକ୍ ସମୟରେ ଧାନ କିଣିବେ, କଟନୀଛଟଣୀ ବନ୍ଦକରିବା, ସିରିଆଲ୍ ଅନୁଯାୟୀ ଧାନ କ୍ରୟ କରାଯିବାର ପ୍ରତିଶ୍ରୁତି ପାଇବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।