ଦୀର୍ଘଦିନ ପରେ ବି ହେଉନି ରାସ୍ତା ମରାମତି

  ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ ସାହାରେଇ ରାସ୍ତାଟି ଜିଗ୍ନିପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ମହାଜନପୁର ଗ୍ରାମର ଲେଙ୍କା ସାହି ୮(ବି) କେନାଲ ରୋଡ ଠାରୁ କେନାଲ ରୋଡ ୮(ଏ) ୨(ଏ) ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡିଛି । ଦୀର୍ଘ ବର୍ଷ ହେବ ଉକ୍ତ ରାସ୍ତାର ପୁନରୁଦ୍ଧାର ନିମନ୍ତେ ସ୍ଥାନୀୟ ଜନସାଧାରଣମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଉକ୍ତ ରାସ୍ତା ଉପରେ ସ୍ଥାନୀୟ ଜିଗ୍ନିପୁର, ଫଗୋଳ, ନିଶ୍ଚିନ୍ତକୋଇଲି, ନତକାଇ, ରାମକୃଷ୍ଣପୁର, ଗ୍ରାମ ପଂଚାୟତର ଜନସାଧାରଣ ନିମନ୍ତେ ଯାତାୟାତ ନିର୍ଭର କରିଥାଆନ୍ତି । ଏହି ରାସ୍ତା ଦେଇ ଦମକଳଗାଡି ବା ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଆସିପାରୁନାହିଁ । ଯାହାଫଳରେ ସାଧାରଣ ଜନତାମାନେ ବହୁ ଅସୁବିଧା ଭୋଗିଥାଆନ୍ତି । ଅନେକ ଛାତ୍ରଛାତ୍ରୀ ବିଦ୍ୟାଳୟ ମହାବିଦ୍ୟାଳୟକୁ ଯିବା ଏବଂ ଜନସାଧାରଣମାନେ ନିଶ୍ଚିନ୍ତକୋଇଲି ସାପ୍ତାହିକ ହାଟ, ବଜାର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଏପରିକି ନିଶ୍ଚିନ୍ତକୋଇଲି ପଂଚାୟତ ସମିତି କାର୍ଯ୍ୟାଳୟକୁ ଏହି ରାସ୍ତା ଦେଇ ଯାଆସ କରିଥାଆନ୍ତି । ଜନସାଧାରଣଙ୍କ ହିତ ଦୃଷ୍ଟିରେ ଏହି ରାସ୍ତାର ପୁନରୁଦ୍ଧାର କରାଯାଇ ଗମନାଗମନ ଉପଯୋଗୀ କରିବା ପାଇଁ ନିଶ୍ଚିନ୍ତକୋଇଲି ଅଂଚଳର ଆଇନଜୀବୀ ପ୍ରମୋଦ କୁମାର ରାଉତ  ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଗତ ତା.୧୧.୧୨.୨୦୨୪ ରିଖରେ ଦାଖଲ କରିଛନ୍ତି । ଯାହାର କେଶ୍ ନଂ ଡି.ଡବ୍ଲୁ.ପି. (ସି)୫୧୭୦୭/୨୦୨୪ଅଟେ । ଏହାର ଏକକିତା ଲେଖା ନକଲ ଜିଲ୍ଲାପାଳ କଟକ, ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ , ଉପଖଣ୍ଡ ଅଧିକାରୀ, ଜଳସେଚନ ବିଭାଗ କେନ୍ଦୁପାଟଣାକୁ ପ୍ରେରଣ କରାଯାଇଥିବା ଶ୍ରୀ ରାଉତ ଗଣମାଧ୍ୟମକୁ ଲିଖିତ ଭାବେ ଜଣାଇଛନ୍ତି ।