ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପ୍ରଜ୍ଞାଙ୍କ କୃତିତ୍ୱ
ଆଠମଲ୍ଲିକ : ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ଓ ଜଙ୍ଗଲ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଆଠମଲ୍ଲିକ ମହେନ୍ଦ୍ର ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରଜ୍ଞା ପରମିତା ପୁରୋହିତ ସଫଳତା ଲାଭ କରିଥିବା ଜଣାଯାଇଛି । ସେ ଉକ୍ତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ରାଜ୍ୟ କୃଷି ବିଜ୍ଞାନ ବିଶ୍ୱବିଦ୍ୟାଳୟ(ଓୟୁଏଟି )ପରିସରରେ ଏ ନେଇ ଆୟୋଜିତ ପୁରସ୍କାର ବିତରଣ ସମରୋହରେ ତାଙ୍କୁ ମେଡାଲ, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି । ଉକ୍ତ ସମାରୋହରେ ଅତିଥି ଭାବେ ୱାର୍ଲ୍ଡ ଲାଇଫ ପିସିସିଏଫ୍ ପ୍ରେମ କୁମାର ଝା, ଓୟୁଏଟି ଭାଇସ ଚାନସେଲର ପ୍ରଭାତ କୁମାର ରାଉଳ, ପିସିସିଏଫ ସୁରେଶ ପନ୍ଥ, ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । କୁମ୍ଭୀର ସଂରକ୍ଷଣ ପ୍ରକଳ୍ପର ୫୦ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କୁମ୍ଭୀର ସଂରକ୍ଷଣ ବିଷୟ ଆଧାରିତ ଚିତ୍ରାଙ୍କନ ଉପରେ ପ୍ରତିଯୋଗିତା ହୋଇଥିଲା । ପ୍ରଜ୍ଞା ଆଠମଲ୍ଲିକ ବନଖଣ୍ଡ ତଥା ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ଉତ୍ତୀର୍ଣ୍ଣ ହୋଇ ରାଜ୍ୟରେ ତୃତୀୟ ସ୍ଥାନ ଲାଭ କରିଥିଲେ । ପ୍ରଜ୍ଞା ସାମ୍ବାଦିକ ଉଦୀପ୍ତ ପୁରୋହିତଙ୍କ ସାନ ଝିଅ ଅଟନ୍ତି । ଆଠମଲ୍ଲିକ ପାଇଁ ସେ ଏକ ଗୌରବ ଆଣିଥିବା ବେଳେ ବନଖଣ୍ଡ ଅଧିକାରୀ ଆଠମଲ୍ଲିକ ସନ୍ତୋଷ କପୁଲା, ରେଞ୍ଜ ଅଧିକାରୀ ସୁନୀଲ କୁମାର ସାହୁ ଏବଂ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନୀଲ କୁମାର ପ୍ରଧାନ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଭିଭାବକଗଣ ପ୍ରଜ୍ଞାଙ୍କୁ ପ୍ରଶଂସା କରିବା ସହିତ ତାଙ୍କର ଉତ୍ତୋରତର ଉନ୍ନତି କାମନା କରିଛନ୍ତି ।