ଦୁଇ ସପ୍ତାହ ଯାଏ ଲାଗିଲା କଟକଣା : ଖୋଲିବନି ହୋଟେଲ, ଜଳଖିଆ, ଚିକେନ ଓ ମାଛ ଦୋକାନ
ଯାଜପୁର: ଝାଡ଼ାବାନ୍ତି ହେଉ କି ଡାଇରିଆ ରୋଗରେ ରୋକ ଲାଗୁନଥିବା ବେଳେ ଏହାର ମୂଳ କାରଣ ଖୋଜି ପାଇବାରେ ବିଫଳ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ନିରାକରଣ ଦିଗରେ ଯୁଦ୍ଧକାଳୀନ ଭିତିରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଜଳ ଉତ୍ସ, କୂଅ, ପୋଖରୀକୁ ବ୍ଲିଚିଂ କରାଯାଇ ବିଶୋଧନ କରାଯାଉଛି । ଏଥିସହିତ ପାଣିରେ ହାଲୋଜିନ ବଟିକା ମିଶାଇ ପିଇବା ସହିତ ବାସିଖାଦ୍ୟ ନଖାଇବାକୁ ବାରଣ କରାଯାଉଛି । କିନ୍ତୁ ଝାଡ଼ାବାନ୍ତିରେ ବ୍ରେକ ନଲାଗିବାରୁ ପ୍ରଶାସନ ପକ୍ଷରୁ ଖାଦ୍ୟ ବିକ୍ରି ଉପରେ କଟକଣା ଲଗାଇଛି । ଗଲା ଦୁଇଦିନ ଧରି ବିଭିନ୍ନ ହୋଟେଲ, ଜଳଖିଆ ଦୋକାନରେ ଛାନବିନ କରି ସିଲ କରିବା ପରେ ଆଜି ପ୍ରଶାସନ ପକ୍ଷରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ହୋଟେଲ, ରେଷ୍ଟୁରାଣ୍ଟ, ଜଳଖିଆ, ଚିକେନ ଓ ମାଛ ଦୋକାନ ଉପରେ କଟକଣା ଲଗାଇଛି । ବିଭିନ୍ନ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏଭଳି କଟକଣା ଲଗାଯାଇ ନୋଟିସ ଜାରୀ କରାଯାଇଛି । କଟକଣାରେ ତହସିଲ ଅଂଚଳରେ ରହିଥିବା ସମସ୍ତ ଫାଷ୍ଟଫୁଡ, ଚାଟ, ଗୁପଚୁପ, ହୋଟେଲ, ଜଳଖିଆ ଦୋକାନ, ମାଛ, ଚିକେନ ଦୋକାନ, ଆଇସକ୍ରିମ କାରଖାନା, ପାଣି ପାଉଚ ତିଆରି କାରଖାନା ୨ ସପ୍ତାହ ଲାଗି ବନ୍ଦ କରିବାକୁ କୁହାଯାଇଛି । ପ୍ରଶାସନର ବିନା ଅନୁମତିରେ ଦୋକାନ ଖୋଲା ଗଲେ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ବୋଲି କୁହାଯାଇଛି । ତହସିଲଦାରଙ୍କ ପକ୍ଷରୁ ଏଭଳି ନୋଟିସ ଲାଗିବା ପରେ ଦୋକାନୀ ଚିନ୍ତାରେ ପଡ଼ିଯାଇଛନ୍ତି ।