ଦୁର୍ନୀତିକୁ ନୀତିରେ ପରିଣତ କଲେଣି ଠିକାଦାର-ଅଧିକାରୀ : ପୁନଃ ନିର୍ମାଣ ବି ନିମ୍ନମାନର
ବ୍ରହ୍ମବରଦା: ଗୋଟେଇଲେ ଗୋଡି ଗୋଟେଇ ହୋଇଯାଉଛି । ଆଶା କରାଯାଉଥିଲା ଖବର ପ୍ରକାଶ ପରେ ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ପୁନଃ ନିର୍ମାଣ କାର୍ଯ୍ୟର ତଦାରକ କରାଯାଇ ଠିକ୍ ଭାବରେ କରାଯିବ । ହେଲେ ଯେତେ ବେଳେ, ଠିକାଦାର ଏବଂ ଅଧିକାରୀ ଦୁର୍ନୀତିକୁ ପଣ କରି ଦେଇଛନ୍ତି ସରକାରୀ ଅର୍ଥ ଲୁଟିବାକୁ ଠିକାଦାର ସହ ଅଧିକାରୀ ମିତ ବସିଛନ୍ତି ସେତେ ବେଳେ ରାସ୍ତା ଅବସ୍ଥା କ’ଣ ହେଉଛି ପଚାର କିଏ । ଚଳିତ ମାସ ୪ ତାରିଖ ଆଠ ଦିନ ଯାଇନି ପିଚୁ ଉଠୁଥିବା ବେଳେ, ରାସ୍ତାରେ ଗଡୁଚି ଗୋଡି । ଏହାକୁ ନେଇ ଖବର ସୂର୍ଯ୍ୟପ୍ରଭାରେ ପ୍ରକାଶ ପାଇଥିଲା । ଜାରକା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଅଭିନାଷ ବାରିକ ଖବର ଆଧାରରେ ସଂପୃକ୍ତ ରାସ୍ତା ପୁନଃ ନିର୍ମାଣ ପାଇଁ ନିଦେ୍ର୍ଦଶ ଦେଇଥିଲେ । ହେଲେ ପୁନଃ ନିର୍ମାଣ ରାସ୍ତା ଯଥା ଆଗରୁ ଅବସ୍ଥା ହୋଇଥିଲା ତାହାହିଁ ରହିଲା । ଯାହାକୁ ନେଇ ବ୍ରହ୍ମବରଦା ଅଞ୍ଚଳର ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ ଜାରକା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଶ୍ରୀବାରିକଙ୍କୁ ପଚାରିବାରୁ ଆଉ ଦଶ ଦିନ ପରେ ଉକ୍ତ ରାସ୍ତାକୁ ଯାଇ ଦେଖି ଆସିବାକୁ କହି ଫୋନ କାଟି ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଶ୍ରୀବାରିକଙ୍କ କଥାରୁ ସ୍ପଷ୍ଟ ଜଣାପଡୁଛି କି କୋଉଠି ନା କୋଉଠି ଉକ୍ତ ରାସ୍ତା କାର୍ଯ୍ୟରେ ଅନିୟମିତତା ହୋଇଛି । ଯାହା ଦଶ ଦିନ ଭିତରେ ଠିକ ହୋଇଯିବ ।
ଭାରତ ସରକାରଙ୍କ ପକ୍ଷରୁ ୧୨ସେପ୍େଟମ୍ବର ୨୦୨୨ତାରିଖରେ ୧୦କୋଟି ୪୫ଲକ୍ଷ ୬୨ହଜାର ୯ଶହ ୪୧ଟଙ୍କା ବ୍ୟୟବରାଦରେ ପ୍ରଥମାଖଣ୍ଡି ଠାରୁ ବନ୍ଧଡିହ ପର୍ଯ୍ୟନ୍ତ ଦୀର୍ଘ ୧୫.୩୦୦ କି.ମି. ରାସ୍ତା ନିର୍ମାଣ ପାଇଁ ଗୌରବ କଂଷ୍ଟ୍ରକସନ୍ କମ୍ପାନୀକୁ ଦିଆଯାଇଥିଲା । ରାସ୍ଥାରେ ମୋଟ ୪ଗୋଟି କଲଭଟ ସହିତ ୧୪୭୬ ମିଟର କଂକ୍ରିଟ ରାସ୍ତା ଓ ୧୩.୮୨୪ମି ପିଚୁ ରାସ୍ତା ନିର୍ମାଣ କରାଯିବା ନେଇ ପ୍ରାବଧାନ ରହିଥିବା ବେଳେ, ଏହି ରାସ୍ତାରେ ୨ଶହ ମିଟର ଡ୍ରେନେଜ ସିଷ୍ଟମ ସହିତ ୧୨୦ମି ରାସ୍ତାରେ ପାଇପ ବିଛାଇବା ପାଇଁ ପ୍ରାବଧାନ ରହିଥିଲା । ସଂପୃକ୍ତ ରାସ୍ତା ଉପରେ ବ୍ରହ୍ମବରଦା, ଅରାବଳ, ଜନକ, ବନ୍ଧଡିହ, ଗୋଳକୁଣ୍ଡ ପ୍ରମୁଖ ପଞ୍ଚାୟତର ଶତାଧିକ ଲୋକ ଓ ଛାତ୍ରଛାତ୍ରୀ ଯାଜପୁର, କୁଆଖିଆ, ହରିପୁର, ଜାରକା ଆଦି ପ୍ରମୁଖ ସ୍ଥାନକୁ ଯାତାୟତ ପାଇଁ ନିର୍ଭର କରିଥାଆନ୍ତି । ସମ୍ପୃକ୍ତ ରାସ୍ତା କାର୍ଯ୍ୟ ବିଳମ୍ବରେ ଆରମ୍ଭ କରାଯିବା ସହ ନିମ୍ନମାନର କରାଯିବାରୁ ଗୋଡ଼ି ସବୁ ଉଠିଯାଇଥିଲା । ଗ୍ରାମ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବାରିକ ସମ୍ପୃକ୍ତ ରାସ୍ତାର ନିର୍ମାଣ ଅଞ୍ଚଳକୁ ଗ୍ରସ୍ତ କରି ରାସ୍ତା ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ଉପଲବ୍ଧି କରିବା ସହ ପୁନର୍ବାର ରାସ୍ତା କାମ କରିବାକୁ ଠିକାଦାରଙ୍କୁ ନିଦେ୍ର୍ଦଶ ମଧ୍ୟ ଦେଇଥିଲେ । ଆଉ ସମ୍ପୃକ୍ତ ରାସ୍ତାର ଠିକାଦାର ମଧ୍ୟ ରାସ୍ତାର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରି ଗତ ଗୁରୁବାର ସାରିଥିଲେ । କିନ୍ତୁ ଯେତେ କାମ କଲେ କଣ ହେବ ଫଳ ହେଲା ଓଲଟା । ରାସ୍ତା କାମ ଶେଷ ହେବାର ମାତ୍ର ୨୪ ଘଣ୍ଟା ନପୁରୁଣୁରୁ ପୁଣି ସେଇ ସମାନ ଅବସ୍ଥାର ପୁନରାବୃତ୍ତି ହୋଇଛି । ନୂତନ ଭାବେ ନିର୍ମିତ ହୋଇଥିବା ରାସ୍ତାରେ ପିଚୁରୁ ଗୋଡ଼ି ସବୁ ଉଠି ଯାଇ ରାସ୍ତାରେ ଗଡୁଥିବାବେଳେ, ହାତ ଆଞ୍ଜୁଳାରେ ଗୋଡ଼ି ସବୁ ତୋଳି ହେଇଯାଉଛି । ଯାହା ଫଳରେ ପୂର୍ବ ରାସ୍ତା ଅପେକ୍ଷା ଏବେ ରାସ୍ତାର ଅବସ୍ଥା ଆହୁରି ଜଟିଳ ହୋଇଯାଇଛି । ନିମ୍ନମାନର କାମ ଓ ରାସ୍ତା କାମରେ ବ୍ୟବହୃତ ଆବଶ୍ୟକୀୟ ଉପାଦାନର ଅଭାବରୁ ବାରମ୍ବାର ରାସ୍ତା କାମ ସତ୍ୱେ ଏପରି ଘଟୁଛି ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଖାଲି ଦେଖିବାକୁ ବାକି ରହିଲା ଉକ୍ତ ରାସ୍ତା କାମରେ କେବେ ସ୍ୱଚ୍ଛତା ଆସୁଛି ।