ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ
ଭୁବନେଶ୍ୱର : ଆଉ କେଇଟା ଦିନ ପରେ ଶାରଦୀୟ ଦୁର୍ଗାପୂଜା । ରାଜଧାନୀର ବିଭିନ୍ନ ଦୁର୍ଗା ପୂଜା କମିଟି ପକ୍ଷରୁ ଚାଲିଛି ଜୋରଦାର ପ୍ରସ୍ତୁତି ।ଏଥର କିନ୍ତୁ ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ । ଲେଜର ଲାଇଟ୍ ବନ୍ଦ ସହ ବାଣ ଫୁଟା ଉପରେ ଲାଗିଲା ରୋକ୍ । ନିଶା ମୁକ୍ତ ପୂଜା ସହ ହେବନି ଅଶ୍ଳୀଳ ନୃତ୍ୟ । ଦୁର୍ଗାପୂଜାକୁ ନେଇ ପୁଲିସ ସେବା ଭବନରେ ହୋଇଥିବା ବୈଠକରେ କମିସନରେଟ୍ ପୁଲିସ ପକ୍ଷରୁ ଏହି କଟକଣା ଲଗାଯାଇଛି । ଏଥର କେବଳ ପାରମ୍ପରିକ ବାଜାରେ ବିଦାୟ ନେବେ ମା’ । ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ କମିଶନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂଙ୍କ ସମେତ ବିଭିନ୍ନ ପୂଜା କମିଟି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହାସହ ୧୯୦ ମଣ୍ଡପର କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ଭସାଣ ବେଳେ ଦେଖାଯାଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ଦୁର୍ଗାପୁଜା କମିଟିର କର୍ମକର୍ତ୍ତା ମାନେ ପୁଲିସ କମିଶନଙ୍କ ବୃଷ୍ଟି ଆକର୍ଷଣ କରିଛନ୍ତି । ଏହା ସହିତ ଭୁବନେଶ୍ୱର ୟୁପିଡିରେ ଫୁଟିବନି ବାଣ । କେବଳ ରାବଣ ପୋଡିରେ ନିର୍ଦ୍ଧିଷ୍ଟ ଡେସିବେଲର ଆତସବାଜିକୁ ଅନୁମତି ଦିଆଯିବ । ମେଢ ଗୁଡିକରେ ଲାଗିବନି ଲେଜର ଲାଇଟ । ଅନେକ ସମୟରେ ଲୋକଙ୍କ ଆଖିରେ ପଡୁଥିବା ଲେଜର ଲାଇଟ ଯୋଗୁ ଆଖି ହରାଇଛନ୍ତି ସାଧାରଣ ଲୋକେ । ଏଥର ଡିଜେ, ବାଣ ଓ ନିଶା ମୁକ୍ତ ପୂଜା: ଜଳିବନି ଲେଜର ଲାଇଟ, ହେବନି ଅଶ୍ଳୀଳ ନୃତ୍ୟଏଥର ଡିଜେ, ବାଣ ଓ ନିଶା ମୁକ୍ତ ପୂଜା । ଜଳିବନି ଲେଜର ଲାଇଟ, ଷ୍ଟେଜରେ ହେବନି ଅଶ୍ଳୀଳ ନୃତ୍ୟ । ମୁତୟନ ହେବେ ମହିଳା ପୁଲିସ, ସିସିଟିଭିରେ ଛାଉଣୀ ହେବ ମଣ୍ଡପ । ବଟି ମାଗିଲେ ବନ୍ଧାହେବେ ପୂଜା କମିଟି ସଦସ୍ୟ । ଖୁସି ଓ ଉତ୍ସାହ ନେଇ ପୁଣି ଫେରିଛି ମହାପାର୍ବଣ ଦୁର୍ଗାପୂଜା । ମା’ଙ୍କର ଷୋଳ ପୂଜାର ଅବ୍ୟବହିତ ପୂର୍ବରୁ ସରିଛି ପ୍ରସ୍ତୁତି ବୈଠକ । ଭୁବନେଶ୍ୱରରେ ଏଥର ଲୋକେ ଦେଖିବେ ୧୮୭ଟି ମୃଣ୍ମୟୀ ମୂର୍ତ୍ତି । ପୂର୍ବବର୍ଷ ଭଳି ଧୁମଧାମରେ ଦଶହରା ପାଳନ ହେବ ତାହାକୁ ନେଇ ଅଣ୍ଟା ଭିଡ଼ିଛି ପ୍ରଶାସନ । ଟ୍ରାଫିକ, ଲ ଆଣ୍ଡ ଅର୍ଡର, ପୁଲିସ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ । ସେହିପରି ବିନା କେମିକାଲ ଓ ବିନା ପ୍ଲାଷ୍ଟିକରେ ମୂର୍ତ୍ତି ନିର୍ମାଣ କରିବାକୁ ଅନେକ ପୂଜା କମିଟି କହିଛନ୍ତି । ପୂଜା ମଣ୍ଡମରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୦ଟା ପରିବର୍ତ୍ତେ ୧୨ଟା ସୁଦ୍ଧା ଶେଷ କରିବାକୁ କୁହାଯାଇଛି । ରାବଣ ପୋଡିବେଳେ ଶବ୍ଦ ପ୍ରଦୂଷଣ କରୁଥିବା ବାଣ କୁ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି ।
- ଫୁଟିବନି ବାଣ
- ଲେଜର ଲାଇଟ୍ ବନ୍ଦ
- ସିପିଙ୍କ ବୈଠକ
- ବଢ଼ିପାରେ ଟ୍ରାଫିକ୍ କଟକଣା
- ଲୁଟେରାଙ୍କ ପାଇଁ ଚିନ୍ତାରେ ପୁଲିସ
- ନିଶାମୁକ୍ତ ପୂଜା ସହ ହେବନି ଅଶ୍ଳୀଳ ନୃତ୍ୟ
ଭସାଣ ବେଳେ ଭାଇବ୍ରେଟ ମ୍ୟୁଜିକ, ଡିଜେ ବାରଣ କରାଯାଇଛି । ଅବକାରୀ ବିଭାଗକୁ ଚୋରା ମଦ ଓ ଡ୍ରଗ୍ସ ରୋକିବାକୁ ନିର୍ଦ୍ଦେଶ ସମନ୍ୱୟ ବୈଠକରେ ମତ ପ୍ରକାଶ ପାଇଛି । ବିଏମସି ପକ୍ଷରୁ ଡ୍ରେନେଜ ସମସ୍ୟାର ସମାଧାନ, ରାସ୍ତା ଘାଟ ମରାମତି ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ଆର୍ଥିକ ଅନୁଦାନ ପାଇଁ ଦାବି ହୋଇଛି । ସେହିପରି ବିଦ୍ୟୁତ ପାଇଁ ସିଙ୍ଗିଲ ମିଟର ବ୍ୟବସ୍ଥା, ଭ୍ରାମ୍ୟମାଣ ଟଏଲେଟ ବ୍ୟବସ୍ଥା ଓ ଅଗ୍ନିଶମ, ପାନୀୟ ଜଳ, ଖୋଳା ହୋଇଥିବା ରାସ୍ତାଘାଟ ନିର୍ମାଣ, ଗଛକଟା ଆଦି ପ୍ରସଙ୍ଗରେ ବିଭିନ୍ନ ବିଭାଗର ସହଯୋଗ ଲୋଡିଥିଲେ ପୂଜା କମିଟି ସଦସ୍ୟ । ସହରରେ ହେଉଥିବା ପୂଜା ଓ ଭଷାଣି ପାଇଁ ସିଙ୍ଗିଲ ଡୋର ବ୍ୟବସ୍ଥା ଦ୍ୱାରା ଲାଇସେନ୍ସ ପାଇବାରେ କୌଣସି ଅସୁବିଧା ହେବନାହିଁ । ଆଜିର ବୈଠକରେ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଦୁଇ ବିଧାୟକ, ଅଗ୍ନିଶମ, ଇଡ଼କୋ, ଟାଟା ପାୱାର, ଟ୍ରାଫିକ ଓ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ । ପାର୍ବଣ ବେଳେ ଆକ୍ଟିଭ ହୋଇପାରନ୍ତି ଲୁଟେରା । ରାଜଧାନୀରେ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଏବେଠୁ ଭୁବନେଶ୍ୱର ପୁଲିସ ସଜାଗ ଥିବା କହିଛନ୍ତି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ । ଏହା ସହିତ ମଣ୍ଡପରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଭଲେଣ୍ଟିୟରଙ୍କୁ ନିୟୋଜିତ କରାଯିବ । ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଟ୍ରାଫିକ ଡିସିପି । ତପନ ମହାନ୍ତି । କିନ୍ତୁ ରାଜଧାନୀରେ ଦେଖାଯାଉଛି ନାହିନଥିବା ଟ୍ରାଫିକ୍ କଟକଣା, ବଢ଼ି ଚାଲିଛି ଅପରାଧ, ଲୁଟ୍, ନିଶା କାରବାର । ଏସବୁକୁ ରୋକି ପାରିବ ତ କମିଶନରେଟ୍ ପୁଲିସ ? । କାରଣ ବିଭିନ୍ନ ଥାନା ଅଞ୍ଚଳରେ ଦେଖାଯାଉଛି ଗୋଷ୍ଠି କନ୍ଦଳ, ହେଉଛନ୍ତି ହଣାକଟା, ଫୁଟୁଛି ବନ୍ଧୁକ । ବିଭିନ୍ନ ଥାନାରେ ଥାକ ହେଲାଣି ଶହ ଶହ ଅପରାଧିକ ମାମଲା । କାମ ଅପେକ୍ଷା ଏଠି ତେଲ ମରାରେ ବିଭିନ୍ନ ଥାନାର ଅଧିକାରୀ, ବିପଦରେ ଜନସାଧାରଣ ।