ବନ୍ଧକ ସୁନା ଫେରସ୍ତ ନଦେବା ଅଭିଯୋଗରେ ମାମଲା ରୁଜୁ ; ଆକ୍ରମଣ ଅଭିଯୋଗରେ କୋର୍ଟ ଚାଲାଣ

ଭଣ୍ଡାରିପୋଖରୀ : ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ବିଶୋଳ ଶାସନ ଗ୍ରାମର ସରୋଜ ସେନାପତିଙ୍କ ପତ୍ନୀ କଳ୍ପନା ସେନାପତି ବନ୍ଧକ ସୁନାଗହଣା ଫେରାଉ ନଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ୨୦୧୭ ମସିହାରେ କୁଲଣା ଭୁଆଳସାହି ଗ୍ରାମର ହରିଶ୍ଚନ୍ଦ୍ର ସାହୁଙ୍କୁ ୪୪ ଗ୍ରାମର ସୁନାଗହଣା ବନ୍ଧକ ଦେଇ ୪୦ ହଜାର ଟଙ୍କା ଘରୋଇ ଋଣ ସରୋଜ ସେନାପତି ଆଣିଥିଲେ । ଏହା ପରେ ନିୟମିତ ଭାବେ ସୁଧ ଓ ମୂଳ ପରିଶୋଧ କରୁଥିଲେ । ମାତ୍ର ୩ ବର୍ଷ ପୂର୍ବରୁ ସୁଧମୂଳ ପରିଶୋଧ କରିପାରିନଥିଲେ । ଅଭିଯୋଗର ୧୫ ଦିନ ପୂର୍ବରୁ ଅବଶିଷ୍ଟ ମୂଳ ଓ ସୁଧ ପାଇଁ ୪୦ ହଜାର ଟଙ୍କା ସହ ହରିଶ୍ଚନ୍ଦ୍ରଙ୍କ ଘରକୁ ଯାଇଥିଲେ । ହରିଶ୍ଚନ୍ଦ୍ର ପରିବାର ପକ୍ଷରୁ ଏଥିପାଇଁ ୨ ଲକ୍ଷ ଟଙ୍କା ଦାବି କରାଯାଇଥିଲା । ଏଥିରେ ଅସମର୍ଥ ହେବାରୁ କଳ୍ପନାଙ୍କୁ ପରିବାର ଲୋକେ ଗାଳିଗୁଲଜ କରି ଫେରାଇ ଦେଇଥିଲେ ବୋଲି କଳ୍ପନା ଗତ ଫେବୃୟାରୀ ୨୦ ତାରିଖରେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଥାନାରେ ୧୨୯/୨୫ନଂ ମାମଲା ରହିଶ୍ଚନ୍ଦ୍ର ସାହୁ, ପୁତ୍ର ନିରଞ୍ଜନ ସାହୁ ଓ ବେଙ୍ଗ ସାହୁଙ୍କ ନାମରେ ମାମଲା ମାର୍ଚ୍ଚ ୧୯ ତାରିଖରେ ରୁଜୁ ହୋଇଥିଲା । ମାମଲା ରୁଜୁ ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଅନ୍ୟପକ୍ଷରେ ଗତ ବୁଧବାର ସକାଳ ୯.୨୦ମି. ସମୟରେ ନିରଞ୍ଜନ ସାହୁ ପନଖା ହନୁମାନ ଛକ ନିକଟରେ ବାଇକରେ ଯାଉଥିବା ବେଳେ ନର ସେନାପତି ଓ କାଳିଆ ସେନାପତି ନିରଞ୍ଜନକୁ ଆକ୍ରମଣ କରି ସୁନା ଓ ବାଇକ ଛଡାଇ ନେଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଥାନାରେ ୧୬୧/୨୫ନଂ ମାମଲା ରୁଜୁ ହୋଇ ନର ସେନାପତିଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।